(ରିପୋର୍ଟସ ଟୁଡ଼େ): ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼଼ାଣ ବନ୍ଦ ହେବା ପରେ ଜୋର ଧରିଛି ରାଜନୀତି । ବିମାନବନ୍ଦର ଉଦଘାଟନ ହେବା ପରେ ଏୟାର ଓଡ଼ିଶା କିଛି ତ୍ରୂଟି ଦର୍ଶାଇ ଏହାର ଉଡ଼ାଣ ବନ୍ଦ କରିଦେଇଥିଲେ । ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏୟାର ଓଡିଶା ଏକ ଖରାପ କମ୍ପାନୀ । ଏହାର ସମୀକ୍ଷା କରାଯିବ । ଆବଶ୍ୟକ ହେଲେ ଚୁକ୍ତି ମଧ୍ୟ ବାତିଲ କରାଯିବ । ଝାରସୁଗୁଡାରୁ ନିୟମିତ ଉଡାଣ ପାଇଁ ଟେଣ୍ଡର କରାଯିବ । ଏଥି ନିମନ୍ତେ ସ୍ପାଇସ ଜେଟ୍, ଇଣ୍ଡିଗୋ ଏବଂ ଇଣ୍ଡିଆନ ଏୟାର ଲାଇନସ୍ ସହ କଥାବାର୍ତା ଚାଲିଛି । ଯଦି ବ୍ୟବସାୟିକ ସଫଳତା ମିଳେ ତେବେ ଏଠାରୁ ନିୟମିତ ଉଡାଣ ହେବ ।
ସୂଚନାଯୋଗ୍ୟ କି, ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ବିମାନବନ୍ଦରକୁ ଲୋକାର୍ପିତ କରିଥିଲେ । କିନ୍ତୁ ଏୟାର ଓଡିଶା ବିଭିନ୍ନ କାରଣ ଦର୍ଶାଇ ଗତ ୬ ତାରିଖରେ ଏଠାରୁ ଉଡାଣ ବନ୍ଦ କରିଦେଇଥିଲା ।