(ମନୋଜ ସାହୁ)ରାୟଗଡ଼ା: ସିନ୍ଦୁର ସାଜିଲା ବଇରୀ । ରାଗ ସମ୍ଭାଳି ନପାରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ।ଯେଉଁ ହାତ ଦିନେ ସିନ୍ଦୁର ଦେଇଥିଲା ସେହି ହାତ ଆଜି ଜୀବନ ନେଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ଥାନା ଅନ୍ତର୍ଗତ କଡିଙ୍ଗଗୁଡା ଗ୍ରାମରେ । ଗତ କାଲି ବିଳମ୍ବିତ ରାତିରେ ଗ୍ରାମର ସତାନା ଜାକାକା ନିଜ ପତ୍ନୀ ବାନାଇ ଜାକାକାଙ୍କୁ ହତ୍ୟା କରିଛି । ରାତିରେ ଶୋଇଥିବା ଅବସ୍ଥାରେ କ୍ରୋଧକୁ ସମ୍ଭାଳିନପାରି ଟାଙ୍ଗିଆରେ ବେକ ଓ ମୁଣ୍ଡରେ ବାରମ୍ବାର ଆଘାତ କରିବା ଫଳରେ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଛନ୍ତି।
ସୂଚନାନୁଯାୟୀ, କିଛିଦିନ ଧରି ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ଗତ ରାତିରେ ଦୁହିଁଙ୍କ ଭିତରେ ଝଗଡା ଭୟଙ୍କର ରୂପ ନେଇଥିଲା । ଯାହା ଫଳ ସ୍ୱରୂପ କ୍ରୋଧକୁ ନିୟନ୍ତ୍ରଣ କରିନପାରି ସ୍ତ୍ରୀ ଶୋଇଥିବା ଅବସ୍ତାରେ ଘରେ ଥିବା ଟାଙ୍ଗିଆରେ ବାରମ୍ବାର ସ୍ତ୍ରୀକୁ ଆଘାତ କରିଥିଲା। ପରେ ଗାଁ ଠାରୁ ୭କିଲୋମିଟର ଟାଉନ ଥାନାକୁ ଆସି ନିଜେ ପୋଲିସକୁ ଖବର ଦେଇଥିଲେ। ସୁଚନା ପାଇ ପୁଲିସ ଉକ୍ତ ଗାଁରେ ପହଞ୍ଚି ଆହତ ବାନାଇଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଗଭୀର କ୍ଷତ ଏବଂ ଅତ୍ୟଧିକ ରକ୍ତଶ୍ରାବ ହୋଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଛନ୍ତି। ମୃତଦେହକୁ ପୁଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।