ଦଶହରା ଅବସରରେ ପ୍ରକମ୍ପିତ ହେବ ଘଟଗାଁ ମା ତାରିଣୀଙ୍କ ପୀଠ

ଦଶହରା ଅବସରରେ ପ୍ରକମ୍ପିତ ହେବ ଘଟଗାଁ ମା ତାରିଣୀଙ୍କ ପୀଠ । ସପ୍ତମୀ ଠାରୁ ଦଶମୀ ଯାଏ ୪ଦିନ ଧରି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ମା । ଏଥିସହିତ, ମାତାରିଣୀଙ୍କ ପୀଠ ପରିସରରେ ପୂଜା ପାଇବେ ଦେବୀ ଦୁର୍ଗା ଦଶଭୂଜାଙ୍କର କାନ୍ତ କମନୀୟ ମୃଣ୍ମୟୀ ମୂର୍ତ୍ତି । ସପ୍ତମୀ ଠାରୁ ଦଶମୀ ଯାଏ ମାଙ୍କ ପୀଠରେ ଭଜନ ସମାରୋହ, ବାଦୀପାଲା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଘଟଗାଁ ମାତାରିଣୀଙ୍କ ପୀଠରୁ ଦେଖିବା ଏହି ରିପୋର୍ଟ ।

ଅନ୍ୟ ଦେବୀପୀଠ ଙ୍କ ଠାରୁ ଘଟଗାଁ ମାତାରିଣୀଙ୍କ ପୀଠରେ ରହିଛି ଭିନ୍ନ ପରମ୍ପରା । ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଥିବା ସପ୍ତମୀ ଦିନଠାରୁ ବିଜୟାଦଶମୀ ଯାଏ ଏଠାରେ ମା ତାରିଣୀ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏହି ୪ଦିନ ଧରି ପୀଠରେ ମାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହିତ ଚଣ୍ଡୀପାଠ କରାଯାଏ । ସପ୍ତମୀ ଦିନ ଭଜନ ସମାରୋହ, ଅଷ୍ଟମୀ ଠାରୁ ଦଶମୀ ଯାଏ ୩ଦିନ ଧରି ବାଦୀପାଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଦୁର୍ଗାପୂଜା ଅବସରରେ ଏଠାରେ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ।