ପାଇକଙ୍କ ବୀରତ୍ୱ ଓ ଐତିହ୍ୟକୁ ସମ୍ମାନ: ମୁଞ୍ଜା ଠାକୁରାଣୀ ମନ୍ଦିରରେ ଖଣ୍ଡାପୂଜା
ଖଣ୍ଡାୟତ ପାଇକ ସମାଜର ଜାଗରଣ ସମାବେଶ, ଏକତା ଓ ନ୍ୟାଯ୍ୟ ଦାବି ପୂରଣ ଉପରେ ଗୁରୁତ୍ୱ
ପାଇକଙ୍କ ବୀରତ୍ୱ, ପରମ୍ପରା ଓ ଗୌରବମୟ ଇତିହାସକୁ ସ୍ମରଣ କରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ମୁଞ୍ଜା ଠାକୁରାଣୀ ମନ୍ଦିର ପରିସରରେ ଖଣ୍ଡାପୂଜା ଓ ଦଶହରା ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶାରଦୀୟ ଦୁର୍ଗାପୂଜା ଅବସରରେ ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ପାଇକ ସମାଜ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପାଇକ ସମାଜର ସଦସ୍ୟ ଯୋଗ ଦେଇଥିଲେ।
ବୋରିଗୁମ୍ମା ବ୍ଲକର ୬ଟି ଖଣ୍ଡ ସମେତ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ପାଇକ ସମାଜର ସଦସ୍ୟମାନେ ଏକାଠି ହୋଇ ପାରମ୍ପରିକ ରୀତିନୀତି ଅନୁଯାୟୀ ଖଣ୍ଡାପୂଜା କରିଥିଲେ। ଏହା ସହ ପାଇକ ଜାଗରଣ ସମାବେଶ ଅନୁଷ୍ଠିତ ହୋଇ ସମାଜର ଏକତା, ଐତିହ୍ୟ, ପରମ୍ପରା ଓ ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା।
ରାଜାରାଜୁଡ଼ା ଶାସନ ସମୟରେ ପାଇକ ସମାଜର ସ୍ୱତନ୍ତ୍ର ସ୍ଥାନ ଏବଂ ଇଂରେଜ ଶାସନ ବିରୋଧରେ ପାଇକ ବିଦ୍ରୋହର ଐତିହାସିକ ଅବଦାନକୁ ସ୍ମରଣ କରାଯାଇଥିଲା। ଏହି ଗୌରବମୟ ଇତିହାସକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ସହ ପାଇକ ପରମ୍ପରାକୁ ସୁରକ୍ଷିତ ରଖିବା ଉପରେ ସମାବେଶରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିସହ ପାଇକ ସମାଜର ବିଭିନ୍ନ ଦାବି, ସଦସ୍ୟମାନଙ୍କ ସମସ୍ୟାର ସମାଧାନ ଏବଂ ଭବିଷ୍ୟତରେ ଏକଜୁଟ ହୋଇ ସାମୂହିକ ପଦକ୍ଷେପ ନେବା ନେଇ ମତ ପ୍ରକାଶ ପାଇଥିଲା। ପାଇକ ସମାଜର ଗୌରବମୟ ଇତିହାସକୁ ସମ୍ମାନ ଦେବା ସହ ନ୍ୟାଯ୍ୟ ଦାବିଗୁଡ଼ିକୁ ଆଗକୁ ନେବାରେ ଏଭଳି ସମାବେଶ ଏକତାର ମାଧ୍ୟମ ହେବ ବୋଲି କହିଛନ୍ତି ଜିଲ୍ଲା ସଭାପତି ଶ୍ରୀକାନ୍ତ ରାୟ।