ମେରଠ ନୀଳ ଡ୍ରମ ହତ୍ୟାକାଣ୍ଡରେ ଦୋଷୀ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲକୁ ମୃତ୍ୟୁଦଣ୍ଡାଦେଶ

ମେରଠ: ଉତ୍ତର ପ୍ରଦେଶର ମେରଠ ସ୍ଥିତ ଏକ ଅଦାଲତ ବୁଧବାର ଦିନ ‘ବ୍ଲୁ ଡ୍ରମ୍ ହତ୍ୟାକାଣ୍ଡ’ର ଦୋଷୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ମୁସ୍କାନଙ୍କ ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରି ଏକ ଡ୍ରମ୍ ଭିତରେ ବନ୍ଦ କରି ରଖିଥିଲେ। ମେରଠ ଜିଲ୍ଲା ଅଦାଲତ ଗତ ସେପ୍ଟେମ୍ବର ୩୦ ତାରିଖରେ ରସ୍ତୋଗୀ ଏବଂ ଶୁକ୍ଳା ଉଭୟଙ୍କୁ ହତ୍ୟାକାଣ୍ଡ ଓ ରାଜପୁତଙ୍କ ମୃତଦେହ ଲୁଚାଇବା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ।

ପୋଲିସ୍ ତଦନ୍ତ ଅନୁଯାୟୀ, ୩ ମାର୍ଚ୍ଚ ୨୦୨୫ରେ ମୁସ୍କାନ ନିଜ ଘରେ ସ୍ୱାମୀ ସୌରଭ ରାଜପୁତଙ୍କ ଖାଦ୍ୟରେ ନିଶାଯୁକ୍ତ ପଦାର୍ଥ ମିଶାଇ ତାଙ୍କୁ ଅଚେତ କରିଦେଇଥିଲେ। ଏହା ପରେ ଶୁକ୍ଳା ସେଠାରେ ପହଞ୍ଚିଥିଲେ ଏବଂ ଉଭୟ ମିଶି ରାଜପୁତଙ୍କୁ ଛୁରୀ ଭୁଷି ହତ୍ୟା କରିବା ସହ ବାଥରୁମ୍‌ରେ ତାଙ୍କ ଶରୀରକୁ ଖଣ୍ଡବିଖଣ୍ଡିତ କରିଥିଲେ। ଶବ ପଚିବା ଯୋଗୁଁ ସୃଷ୍ଟି ହେଉଥିବା ଦୁର୍ଗନ୍ଧକୁ ଚପାଇବା ପାଇଁ ସେମାନେ ଶରୀରର ଖଣ୍ଡିତ ଅଂଶଗୁଡ଼ିକୁ ଏକ ବଡ଼ ନୀଳ ରଙ୍ଗର ପ୍ଲାଷ୍ଟିକ୍ ଡ୍ରମ୍‌ରେ ଭର୍ତ୍ତି କରିଥିଲେ ଏବଂ ସେଥିରେ ବାଲି, ପାଣି ଓ ସିମେଣ୍ଟର ମିଶ୍ରଣ ପକାଇ ଡ୍ରମ୍‌ଟିକୁ ସିଲ୍ କରିଦେଇଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା।

ଏହି ମାମଲା ୧୭ ମାର୍ଚ୍ଚ ୨୦୨୫ରେ ଅଦାଲତରେ ଦାୟର କରାଯାଇଥିଲା ଏବଂ ଜୁଲାଇ ୨୦୨୫ରେ ଜିଲ୍ଲା ବିଚାରପତିଙ୍କ ଅଦାଲତକୁ ସ୍ଥାନାନ୍ତର କରାଯାଇଥିଲା। ରାୟ ପ୍ରକାଶ ପାଇବା ପୂର୍ବରୁ ପ୍ରାୟ ୧୩ ମାସ ଧରି ଏହି ମାମଲାର ଶୁଣାଣି ଓ ଯୁକ୍ତିତର୍କ ଚାଲିଥିଲା। ଏହି ମାମଲାରେ ୧୨୬ ଥର ଶୁଣାଣି ଓ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ଏବଂ ସରକାରୀ ଓକିଲ ତଥା ପ୍ରତିପକ୍ଷ ଓକିଲ (ଡିଫେନ୍ସ) ଜିଲ୍ଲା ବିଚାରପତିଙ୍କ ନିକଟରେ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ।

ଦୋଷୀ ସାବ୍ୟସ୍ତ ହେବା ପରେ ସରକାରୀ ଓକିଲ ବିଜୟ ବାହାଦୂର କହିଥିଲେ, “ଅଦାଲତ ଉଭୟ ଅଭିଯୁକ୍ତ ମୁସ୍କାନ ଓ ସାହିଲଙ୍କୁ ହତ୍ୟାକାଣ୍ଡ ଏବଂ ସୌରଭଙ୍କ ମୃତଦେହ ଲୁଚାଇବା ଘଟଣାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ହତ୍ୟା ପୂର୍ବରୁ ସୌରଭ ରାଜପୁତଙ୍କୁ ବାରମ୍ବାର ଛୁରାଘାତ କରାଯାଇଥିଲା, ସ୍ଥାନୀୟ ଦୋକାନୀମାନେ ସାକ୍ଷ୍ୟ ଦେଇଥିଲେ ଯେ ସେମାନେ ମୁସ୍କାନ ଓ ସାହିଲଙ୍କୁ ସେହି ନିର୍ଦ୍ଦିଷ୍ଟ ନୀଳ ରଙ୍ଗର ପ୍ଲାଷ୍ଟିକ୍ ଡ୍ରମ୍, ସିମେଣ୍ଟ ବସ୍ତା, ବାଲି, ବଡ଼ ଛୁରୀ (cleavers) ଏବଂ ରେଜର ବିକ୍ରି କରିଥିଲେ।

କଲ୍ ଡିଟେଲ୍ ରେକର୍ଡ ଏବଂ ମୋବାଇଲ୍ ସିଗନାଲ୍ ଟାୱାର୍ ଲୋକେସନ୍‌ରୁ ଜଣାପଡ଼ିଥିଲା ​​ଯେ ଅପରାଧ ଘଟୁଥିବା ସମୟରେ ସାହିଲ ଶୁକ୍ଳା ସେହି ଘରେ ଉପସ୍ଥିତ ଥିଲେ। ଏହା ସହିତ ହିମାଚଳର ଶିମଲା ଓ ମନାଲିରେ ଥିବା ହୋଟେଲରେ ଉଭୟଙ୍କ ଏକତ୍ର ରହଣି ମଧ୍ୟ ଏଥିରୁ ଜଣାପଡ଼ିଥିଲା। ଏହା ପୂର୍ବରୁ, ସୌରଭ ରାଜପୁତଙ୍କ ବଡ଼ ଭାଇ ରାହୁଲ୍ କହିଥିଲେ ଯେ ପରିବାରର ଏକମାତ୍ର ଦାବି ହେଉଛି ନ୍ୟାୟ। “ଆମେ କେବଳ ଗୋଟିଏ କଥା ଚାହୁଁଛୁ: ସେମାନେ ମୋ ଭାଇ ସହିତ ଯାହା କରିଛନ୍ତି, ସେମାନଙ୍କ ସହିତ ମଧ୍ୟ ସେୟା ହିଁ ହେବା ଉଚିତ୍।”