ହକି ବିଶ୍ୱକପକୁ ଦୃଷ୍ଟିର ରଖି ସନ୍ଧ୍ୟାରେ ହେବ ଖାଦ୍ୟ ଯାଞ୍ଚ

(ରିପୋର୍ଟସ ଟୁଡେ): ଏଣିକି ରାଜଧାନୀରେ ରାଜରାସ୍ତାରେ ବିକ୍ରି ହେଉଥିବା ଖାଦ୍ୟର ସନ୍ଧ୍ୟାରେ ଯାଞ୍ଚହେବ । ସଂନ୍ଧ୍ୟାରେ ଅଧିକ ସଂଖ୍ୟାରେ ଖାଦ୍ୟ ବଜାର ଖୋଲିବା ଓ ହକି ବିଶ୍ୱକପକୁ ନଜରରେ ରଖି ଖାଦ୍ୟ ସୁରକ୍ଷା ଏଭଳି ପଦକ୍ଷେପ ନେବାକୁ ଯାଉଛି । ଆସନ୍ତା କିଛିଦିନ ମଧ୍ୟରେ ଏଭଳି ଯାଞ୍ଚ ଆରମ୍ଭ ହେବ। ଅପରପକ୍ଷରେ ରାଜଧାନୀରେ ଯେତିକି ସଂଖ୍ୟକ ଖାଦ୍ୟ ବ୍ୟବସାୟୀ ରହିଛନ୍ତି ‌ତାହାର ୭୦ପ୍ରତିଶତରୁ ଅଧିକ ବ୍ୟବସାୟୀ ନିଜ ବ୍ୟବସାୟର ପଞ୍ଜୀକରଣ କରି ନାହାନ୍ତି। ଯାହାଫଳରେ କେତେ ସଂଖ୍ୟକ ଖାଦ୍ୟ ବ୍ୟବସାୟୀ ରାଜଧାନୀରେ ଖାଦ୍ୟ ବିକ୍ରି କରୁଛନ୍ତି ତାହା ଜାଣିବା ସମ୍ଭବ ହେଉନାହିଁ।

ରାଜଧାନୀରେ ୧୨ହଜାରରୁ ଅଧିକ ଖାଦ୍ୟ ବ୍ୟବସାୟୀ ନିଜର ବ୍ୟବସାୟ କରୁଥିବା ଅନୁମାନ କରାଯାଉଛି। ଏଥିରେ ଛୋଟ ହୋଟେଲ, ଠେଲା ଦୋକାନୀ ଓ ବଡ଼ ହୋଟେଲ ରହିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ସନ୍ଧ୍ୟାରେ ହିଁ ବ୍ୟବସାୟ କରୁଛନ୍ତି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ କେବଳ ଦିନରେ ଖାଦ୍ୟର ଯାଞ୍ଚ ଓ ନମୁନା ସଂଗ୍ରହ କରାଯାଉଥିବାରୁ ସନ୍ଧ୍ୟାରେ ବିକ୍ରି କରୁଥିବା ‌ବ୍ୟବସାୟୀଙ୍କ ଯାଞ୍ଚ ହୋଇପାରୁ ନାହିଁ। ତେଣୁ ଏସବୁ ବ୍ୟବସାୟୀ ଯେଉଁ ଖାଦ୍ୟ ବିକ୍ରି କରୁଛନ୍ତି ତାହାକୁ ସନ୍ଧ୍ୟାରେ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷାର ଏକ ସ୍କ୍ବାଡ୍ ସଂଧ୍ୟାରେ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ଯାଇ ଯାଞ୍ଚ ସହିତ ନମୁନା ସଂଗ୍ରହ କରିବେ ବୋଲି ଜଣାପଡ଼ିଛି। ଫାଷ୍ଟଫୁଡ୍ ସେଣ୍ଟର୍‌, ‌ଠେଲା ଦୋକାନୀଙ୍କୁ ଏଥିରେ ଗୁରୁତ୍ବ ଦିଆଯିବ।