ବିମୁଦ୍ରିକରଣକୂ ପୂରିଲା ଦୁଇ ବର୍ଷ, ତୀବ୍ର ଗତିରେ ବୃଦ୍ଧି ପାଉଛି ଡିଜିଟାଲ ଟ୍ରାଞ୍ଜାକସନ୍

(ରିପୋର୍ଟସ ଟୁଡ଼େ): ୨୦୧୬ ନଭେମ୍ବର ୮ରେ ଏକ ବଡ଼ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯାହାକୁ ଶୁଣି କଳା ଟଙ୍କା ଗଚ୍ଛିତ ରଖିଥିବା ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ଲୋକଙ୍କ ନିଦ ହଜାଇ ଦେଇଥିଲା ସେହି ଘୋଷଣା ଟି । ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ବିମୁଦ୍ରାକରଣ । ଫଳରେ ସେହିଦିନ ମଧ୍ୟ ରାତ୍ର ୧୨ଟା ପରେ ସମସ୍ତ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା । ପୁରୁଣା ୫୦୦ ଟଙ୍କିଆ ବଦଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ୫୦୦ ଟଙ୍କିଆ ପ୍ରଚଳନ କରିଥିଲା । କିନ୍ତୁ ୧୦୦୦ ଟଙ୍କିଆ ନୋଟ୍ ସଂପୂର୍ଣ୍ଣଭାବେ ବନ୍ଦ ହୋଇଗଲା । ଏହା ବଦଳରେ ପ୍ରଥମେ ୨୦୦୦ ହଜାର ଟଙ୍କିଆ ପରବର୍ତ୍ତୀ ସମୟରେ ୨୦୦ ଟଙ୍କିଆ ନୋଟ୍ ବଜାରକୁ ପ୍ରବେଶ କରିଥିଲା । ତେବେ ବିମୁଦ୍ରାକରଣ ଦ୍ୱାରା କ’ଣ ଲାଭ ହୋଇଛି ଓ କ’ଣ କ୍ଷତି ହୋଇଛି ତାହା ଏବେବି ଦେଶବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନ ହୋଇ ରହିଛି ।

ବିମୁଦ୍ରାକରଣର ବଡ଼ ସଫଳତା ଥିଲା ଜାଲ୍ ନୋଟ୍ ଉପରେ ରୋକ୍ ଲଗାଇବା । ଆର୍ଥିକ ବର୍ଷ ୨୦୧୬-୧୭ର ରିପୋର୍ଟ ଅନୁଯାୟୀ ୧୫.୪୪ ଲକ୍ଷ କୋଟି ଟଙ୍କାକୁ ଅବୈଧ ଘୋଷଣା କରାଯାଇଥିଲା । ତେବେ ଏଥିରୁ ୧୫.୩୧ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ୍ ବ୍ୟବସ୍ଥାରେ ଫେରିଛି । ଅର୍ଥାତ ୯୯.୩ ପ୍ରତିଶତ ଟଙ୍କା ଫେରସ୍ତ ହୋଇଛି । ମାତ୍ର ୦.୭ ପ୍ରତିଶତ ଅର୍ଥାତ ୧୦,୭୨୦ କୋଟି ଟଙ୍କାର କୌଣସି ସୂଚନା ମିଳି ନାହିଁ । ୨୦୧୭-୧୮ ଆର୍ଥିକ ବର୍ଷରେ ୫ ଲକ୍ଷ ୨୨ ହଜାର ୭୮୩ ଜାଲ୍ ନୋଟ୍ ସାମ୍ନାକୁ ଆସିଥିଲା । ଅର୍ଥାତ୍ ୩୬.୧ ପ୍ରତିଶତ ଥିଲା । ଯାହା ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ମାତ୍ର ୪.୩ ପ୍ରତିଶତ ଥିଲା । ନୋଟବନ୍ଦୀ ପରେ ଡିଜିଟାଲ ଟ୍ରାଞ୍ଜାକସନ୍ ତୀବ୍ର ଗତିରେ ବୃଦ୍ଧି ପାଇଥିଲା । ସେହିପରି ୨୦୧୨ରୁ ଆରମ୍ଭ ହୋଇଥିବା ରୂପେ କାର୍ଡର ଅପୂର୍ବ ସଫଳତା ଦେଖାଦେଇଥିଲା । ଚଳିତବର୍ଷ ଅଗଷ୍ଟମାସ ସୁଦ୍ଧା ରୂପେ କାର୍ଡ଼ ଜରିଆରେ ୪ କୋଟି ୯୬ ଲକ୍ଷ ଟ୍ରାଞ୍ଜାକ୍ସନ୍ ଜରିଆରେ ୬୨ ଆରବ୍ ୯୦ କୋଟି ଟଙ୍କା ନେଣଦେଣ ହୋଇଛି । ସେହିପରି ଟ୍ୟାକ୍ସ ଆଦାୟରେ ମଧ୍ୟ ବିମୁଦ୍ରାକରଣର ପ୍ରଭାବ ଦେଖିବାକୁ ମିଳିଛି । ଚଳିତ ଅଗଷ୍ଟ ସୁଦ୍ଧା ଏହା ୭୧ ପ୍ରତିଶତକୁ ବୃଦ୍ଧି ପାଇ ୫.୪୨ କୋଟିରେ ପହଁଚିଛି ।