ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନ ସାମଗ୍ରୀରେ ହେବ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ଶୃଙ୍ଗାର

ପୁରୀ / ସଞ୍ଜୟ ମହାପାତ୍ର : ଆଜି ପବିତ୍ର ମାଘମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି  ନିତି । ଦ୍ଵିତୀୟ ଭୋଗମଣ୍ଡପ  ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ  ପ୍ରସାଧାନ ସାମଗ୍ରୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ  । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ  । ଏହା ଏକ ଗୁପ୍ତ ସେବା ଓ ନିତି ହୋଇଥିବାରୁ ଆଜି ପ୍ରାୟ ସଂନ୍ଧ୍ୟା  ୬ ଟାରୁ  ରାତି ୯ ଟା ପର୍ଯ୍ୟନ୍ତ ପ୍ରାୟ ତିନିଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି   | ବନକଲାଗି ନିତି ପରେ  ଠାକୁରଙ୍କୁ ମହାସ୍ନାନ କରାଯାଇ ପୁନର୍ବାର  ଦର୍ଶନ ଆରମ୍ଭ ହେବ। ସେପଟେ ଭକ୍ତଙ୍କ ଦର୍ଶନକୁ ସୃଙ୍ଖଳିତ କରିବା ପାଇଁ ନିତିକୁ ସଅଳ କରାଯାଇଛି। ସକାଳ ୫ଟା୩୬ରେ ଶ୍ରୀମନ୍ଦିର ଦ୍ବାରଫିଟା ନିତି ବଢିବା ପରେ ୬ଟା ୫୦ରେ ମଙ୍ଗଳାଳତୀ, ୬ଟା ୫୫ରେ ମଇଲମ, ୭ଟା ୨୦ରେ ତଡପଲାଗି ଓ ୭ଟା ୪୫ରେ ଅବକାଶ ନିତି ବଢି ମହାପ୍ରଭୁଙ୍କର ମଇଲମ ଓ ବେଶ ଅନୁଷ୍ଠିତ ହୋଇଥିଲା।  ଦର୍ଶନ ଆରମ୍ଭ ହୋଇଛି। ତାପରେ ଦୈନନ୍ଦିନ ନିତିକାନ୍ତି ଆଗକୁ ବଢିଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ। ସେପଟେ ଦର୍ଶନ ବ୍ଯବସ୍ଥା ମଧ୍ୟ ସୃଙ୍ଖଳିତ ହୋଇଛି। ଭକ୍ତମାନେ ଏସି ଟନେଲ ଓ ଜର୍ମାନ ହ୍ଯାଙ୍ଗର ଦେଇ ବେରିକେଡରେ ସିଂହଦ୍ଵାର ଦେଇ ମନ୍ଦିରକୁ ପ୍ରବେଶ କରି  ଶ୍ରୀଜୀୟୁଙ୍କ ଦର୍ଶନର ସୁଯୋଗ ପାଇଛନ୍ତି। ସେପଟେ ଆଜି ମହାପ୍ରଭୁଙ୍କ ବନକଲାଗି ନିତି ରହିଥିବାରୁ ଦିପହର ଧୂପ ପରେ ବନକଲାଗି ନିତି ସମ୍ପାଦନ ହେବା ସମୟରେ ଜୟବିଜୟ ଦ୍ୱାର ବନ୍ଦ ରହୁଥିବାରୁ ପ୍ରାୟ  ତିନିଘଣ୍ଟା ଧରି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ।