ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ସୁନେତ୍ରା ପୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି ହୋଇଛି। ସ୍ୱର୍ଗତ ଅଜିତ ପୱାରଙ୍କ ପତ୍ନୀ ସୁନେତ୍ରା ପୱାର ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅଜିତ ପୱାରଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ସୁନେତ୍ରା ପୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ବିଧି ଓ ଗୋପନୀୟତାର ଶପଥ କରାଇଥିଲେ। ଏନସିପି ବିଧାୟକ ଦଳର ବୈଠକରେ ସୁନେତ୍ରା ପୱାରଙ୍କୁ ସର୍ବସମ୍ମତିକ୍ରମେ ଦଳନେତ୍ରୀ ଭାବେ ଚୟନ କରାଯାଇଥିଲା। ପରେ ମୁମ୍ବାଇର ଲୋକଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା।

ଏହି ଶପଥ ଗ୍ରହଣ ସମାରୋହରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସହିତ ରାଜ୍ୟର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଶପଥ ଗ୍ରହଣ ସମୟରେ ଏନସିପି ନେତା ଓ କାର୍ଯ୍ୟକର୍ତ୍ତାମାନେ “ଅଜିତ ଦାଦା ଅମର ରହେ” ସ୍ଲୋଗାନ ଦେଇ ସ୍ୱର୍ଗତ ଅଜିତ ପୱାରଙ୍କ ସ୍ମୃତିଚାରଣ କରିଥିଲେ। ସୁନେତ୍ରା ପୱାର (ଜନ୍ମ: ୧୮ ଅକ୍ଟୋବର ୧୯୬୩) ମହାରାଷ୍ଟ୍ରର ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି।