ଅପକମିଂ ଫିଲ୍ମ ‘ଭେଡ଼ିଆ’ କହିବ ସ୍ତ୍ରୀର ପୂର୍ବ କାହାଣୀ

୨୦୧୮ ମସିହାରେ ହିଟ୍‌ ହୋଇଥିବା ହରର୍‌ ମୁଭିର ପ୍ରିକୁଏଲ୍‌ ଏଥର ଆସୁଛି ।

(ମୁମ୍ବାଇ) : ପୁଣିଥରେ ଲେଉଟୁଛନ୍ତି ସ୍ତ୍ରୀ । ୨୦୧୮ ମସିହାରେ ହିଟ୍‌ ହୋଇଥିବା ହରର୍‌ ମୁଭିର ପ୍ରିକୁଏଲ୍‌ ଏଥର ଆସୁଛି । ଏହି ନୂଆ ଫିଲ୍ମରେ ଆଗଭଳି ‘ସ୍ତ୍ରୀ’ ହୋଇ ରହିଛନ୍ତି ଶ୍ରଦ୍ଧା କପୁର । ଅଗଷ୍ଟ ମାସରୁ ଏହି ପ୍ରିକୁଏଲ୍‌ ମୁଭିର ସୁଟିଂ ଆରମ୍ଭ ହୋଇପାରେ । ୨୦୧୮ରେ ଦର୍ଶକମାନଙ୍କୁ ଖୁବ୍‌ ପସନ୍ଦ ହୋଇଥିଲା ହରର୍‌ ମୁଭି ସ୍ତ୍ରୀ । ଫିଲ୍ମରେ ସ୍ତ୍ରୀ ଭୂମିକାରେ ଶ୍ରଦ୍ଧା କପୁର ହିଁ ଦେଖିବାକୁ ମିଳିବେ । ନିର୍ଦ୍ଦେଶନାରେ ଅଛନ୍ତି ମରାଠି ନିର୍ଦ୍ଦେଶକ ଆଦିତ୍ୟ ସରପୋତଦାର ।

ଅପକମିଂ ଫିଲ୍ମ ‘ଭେଡ଼ିଆ’ କହିବ ସ୍ତ୍ରୀର ପୂର୍ବର ସବୁ କାହାଣୀ । କିଭଳି ଭାବେ ଚନ୍ଦେରି ନାମକ ସ୍ଥାନରେ ସ୍ତ୍ରୀ ପହଞ୍ଚିଲା, କାହିଁକି ପୁରୁଷମାନଙ୍କ ଉପରେ ତାର ଏତେ ରାଗ, ସମ୍ଭବତଃ ତାର ଉତ୍ତର ମିଳିବ ଏହି ପ୍ରିକ୍ୟୁଏଲରୁ ।

ସୂଚନାନୁସାରେ, କାହାଣୀ ଅନୁସାରେ ପ୍ରତିବର୍ଷ ଚାରିଦିନ ବ୍ୟାପି ଚାଲୁଥିବା ଏକ ଧର୍ମୀୟ ଉତ୍ସବ ସମୟରେ ଏକୁଟିଆ ପୁରୁଷଙ୍କୁ ଦେଖାଦେଉଥିଲା ଜଣେ ସୁନ୍ଦରୀ କନ୍ୟା! ତା’ ଫାନ୍ଦରେ ପାଦ ପକାଇଲା ମାତ୍ରେ ଗାଏବ ହୋଇଯାଉଥିଲେ ସେହିସବୁ ପୁରୁଷ । କେବଳ ପଡ଼ିରହୁଥିଲା ସେମାନଙ୍କ ପୋଷକ । ‘ସ୍ତ୍ରୀ’ ହାତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଘର ଆଗରେ ଲେଖୁଥିଲେ ଓ ସ୍ତ୍ରୀ କାଲିକୁ ଆସ । ରାତି ୧୦ଟା ପରେ ପୁରୁଷମାନଙ୍କୁ ଏକୁଟିଆ ବାହାରକୁ ବାହାରିବା ମନା ଥିଲା । ତେବେ ଏହି ସ୍ତ୍ରୀ ଜାଲରେ କିଭଳି ଭାବେ ଫିଲ୍ମର ନାୟକ ଫସିଲା, କିଭଳି ଭାବେ ଉଦ୍ଧାର ପାଇଲା ତାହାକୁ ନେଇ ଆଗେଇଥିଲା ମୂଳ ଫିଲ୍ମର କାହାଣୀ । ମୁଖ୍ୟ ଚରିତ୍ରରେ ଥିଲା ଶ୍ରଦ୍ଧା କପୁର ଓ ରାଜକୁମାର ରାଓ ।