କାଲିଫର୍ଣ୍ଣିଆ: ନାସା ରଚିଲା ଇତିହାସ । ନାସାର ରୋଭର ପର୍ସିଭିରନ୍ସ ସଫଳତାର ସହ ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରିଛି । ଉଡାଣ ଭରିବାର ୭ ମାସ ପରେ ମଙ୍ଗଳରେ ଲ୍ୟାଣ୍ଡ କରିଛି ପର୍ସିଭିରନ୍ସ । ଭାରତୀୟ ସମୟ ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ୬ ଚକିଆ ରୋଭର ମଙ୍ଗଳ ପୃଷ୍ଟ ଛୁଇଁଛି । ଏହି ସଫଳତା ପରେ ନାସାର କାଲିଫର୍ଣ୍ଣିଆ ଜେଟ ପ୍ରପଲସନ ବିଜ୍ଞାନାଗାରରେ ଆନନ୍ଦର ଲହରି ଖେଳିଯାଇଥିଲା ।
ରୋଭର ଏବେ ମଙ୍ଗଳରେ ଜୀବନର ସତ୍ତା ସନ୍ଧାନ କରିବ । ନାସାର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ୩ରୁ ୪ ନିୟୁତ ବର୍ଷ ପୂର୍ବେ ମଙ୍ଗଳରେ ଜୀବନ ଥିବ । ସେହି ସମୟରେ ମଙ୍ଗଳରେ ଜଳ ରହିଥିବ । ଏହା ନାସାର ନବମ ମଙ୍ଗଳ ଅଭିଯାନ । ନାସା ବୈଜ୍ଞାନିକଙ୍କ ସୂଚନା ଅନୁସାରେ ପର୍ସିଭିରନ୍ସ ରୋଭରକୁ ମଙ୍ଗଳ ପୃଷ୍ଠରେ ଲ୍ୟାଣ୍ଡ କରିବାର ଶେଷ ୭ ମିନିଟ ଥିଲା ସବୁଠାରୁ କଠିନ । ପର୍ସିଭିରନ୍ସ ରୋଭର ଟେରେନ୍ ରିଲେଟିଭ୍ ନାଭିଗେସନ୍ ଜରିଆରେ ମଂଗଳ ଗ୍ରହରେ ଅବତରଣ କରିଥିଲା ।