ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି , ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ବୁଧବାର ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି ସମ୍ପନ୍ନ ହେବ। ଏହି ଅବସରରେ ଶ୍ରୀମସ୍ତକରୁ ସୋଲ ଚିତା କଢ଼ାଯାଇ ମହାପ୍ରଭୁଙ୍କୁ ଅସଲ ରତ୍ନଚିତା ଲାଗି କରାଯିବ। ଏହି ସ୍ବତନ୍ତ୍ର ନୀତି ପାଇଁ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଠାକୁରଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Disruption in Lord Jagannath's Banakalagi ritual | #Puri Srimandir  administration issues notice to Dutta Mohapatra Nijog, seeks reply within  three days #Odisha

ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସ୍ନାନପୂର୍ଣ୍ଣିମାରେ ଠାକୁରମାନେ ଅଣସରକୁ ବିଜେ କରିବା ସମୟରେ ଶ୍ରୀମସ୍ତକରୁ ରତ୍ନଚିତା କଢ଼ାଯାଇଥିଲା। ରଥଯାତ୍ରା ଅବସରରେ ଶ୍ରୀବିଗ୍ରହମାନଙ୍କୁ ସୋଲ ଚିତା ଲାଗି କରାଯାଇଥିଲା। ବଣିଆ ସେବକଙ୍କ ଘରୁ ପଟୁଆରରେ ସୋଲ ଚିତା ଶ୍ରୀମନ୍ଦିରକୁ ଆସିଥିଲା। ରଥଯାତ୍ରାରୁ ଫେରିବା ପରେ ମଧ୍ୟ ଠାକୁରମାନଙ୍କୁ ଏହି ସୋଲ ଚିତା ଲାଗି ରହିଛି।

ବୁଧବାର ତିନି ଭାଇଭଉଣୀଙ୍କୁ ଅସଲ ରତ୍ନଚିତା ଲାଗି କରାଯିବ। ଭୋଗମଣ୍ଡପ ନୀତି ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ। ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ସେବକମାନେ ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି କରିବେ। ଶୁଦ୍ଧସୁଆରମାନେ ରତ୍ନସିଂହାସନ ତଳେ ସ୍ବର୍ଣ୍ଣ ଓଷ ପ୍ରସ୍ତୁତ କରିବେ। ବାଡ଼ଗ୍ରାହୀମାନେ ଶୁଦ୍ଧସୁଆର ଦେଇଥିବା ଓଷ ଚିତାରେ ଲାଗି କରିବା ସହ ପାଟରା ଦେଇଥିବା ପାଟଡୋର ପିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି କରିବେ। ଚିତାଲାଗି ନୀତିର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ବଣିଆ ସେବକମାନଙ୍କୁ ଶ୍ରୀମନ୍ଦିର କମାଣ୍ଡରଙ୍କ ନିର୍ଦ୍ଦେଶକ୍ରମେ ଚର୍ଚ୍ଚାକୁ ଡକାଯିବ। ବଣିଆ ସେବକମାନେ ଚିତା ଲାଗି ପୂର୍ବରୁ ଚିତାଗୁଡ଼ିକୁ ସଫା କରିବା ପାଇଁ ଆବଶ୍ୟକ ସାମଗ୍ରୀ ଧରି ଶ୍ରୀମନ୍ଦିରରେ ପହଞ୍ଚିବେ। କମାଣ୍ଡର ଓ ବରିଷ୍ଠ ସେବକଙ୍କ ଉପସ୍ଥିତିରେ ଚିତା ସଫେଇ କରାଯିବ।

ମାଜଣା ମଣ୍ଡପରେ ଏହି ଦେବକାର୍ଯ୍ୟ ଅନୁଷ୍ଠିତ ହେବ। ଗୋପାଳବଲ୍ଲଭ ନୀତି ପରେ ଏହି କାର୍ଯ୍ୟ କରାଯିବ। ସଫା କରାଯାଇଥିବା ଚିତାକୁ ଭଣ୍ଡାର ମେକାପଙ୍କୁ ଅର୍ପଣ କରାଯିବ। ପ୍ରମୋଦ କୁମାର ମହାପାତ୍ର, ରଘୁନାଥ ମହାପାତ୍ର ଓ ବିଭୂ ପ୍ରସାଦ ମହାପାତ୍ରଙ୍କ ସମେତ ଠାକୁରଙ୍କ ବଣିଆ ସେବକମାନେ ଚିତା ସଫା କରିବେ ବୋଲି ସୂଚନା ରହିଛି।