ଢେଙ୍କାନାଳରେ କୁକୁର ଆକ୍ରମଣରେ ହରିଣ ମୃତ ଓଡିଶା By Lipipuspa Last updated Aug 11, 2026 Share ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଏକତାଳି ଡ୍ୟାମ୍ ନିକଟରେ କୁକୁରଙ୍କ ଆକ୍ରମଣରେ ଏକ ହରିଣର ମୃତ୍ୟୁ ଘଟିଛି। ଆଜି ମଧ୍ୟାହ୍ନ ସମୟରେ ପାଣି ପିଇବା ପାଇଁ ହରିଣଟି ଡ୍ୟାମ୍ ନିକଟକୁ ଆସିଥିଲା। ଏହି ସମୟରେ କିଛି କୁକୁର ହରିଣଟିକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। କୁକୁରଙ୍କ କାମୁଡ଼ାରେ ହରିଣଟି ଗୁରୁତର ଆହତ ହୋଇ ରକ୍ତାକ୍ତ ହୋଇପଡ଼ିଥିଲା। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଅବସ୍ଥାରେ ହରିଣଟିକୁ ଉଦ୍ଧାର କରାଯାଇ ହିନ୍ଦୋଳ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସା ଆରମ୍ଭ ହୋଇଥିଲେ ମଧ୍ୟ ହରିଣଟିର ଜୀବନ ରକ୍ଷା କରାଯାଇପାରିନଥିଲା। ଚିକିତ୍ସାଳୟରେ ହିଁ ତା’ର ମୃତ୍ୟୁ ଘଟିଥିଲା। ପରେ ମୃତ ହରିଣକୁ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା। ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ନିୟମ ଅନୁସାରେ ନିକଟସ୍ଥ ଜଙ୍ଗଲରେ ହରିଣଟିକୁ ପୋତି ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ହିନ୍ଦୋଳ ବନାଞ୍ଚଳ ଅଧିକାରୀ ତ୍ରିଲୋଚନ ଦେହୁରୀ। ପାଣି ପିଇବା ପାଇଁ ଜଙ୍ଗଲରୁ ବାହାରି ଆସିଥିବା ହରିଣଟି କୁକୁରଙ୍କ ଆକ୍ରମଣର ଶିକାର ହୋଇ ଜୀବନ ହରାଇବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦୁଃଖ ପ୍ରକାଶ ପାଇଛି। Share FacebookTwitterGoogle+ReddItWhatsAppPinterestEmail