ରାଉରକେଲା ବିମାନ ଦୁର୍ଘଟଣା ପଛର ବଡ଼ ସତ: ଇନ୍ଧନ ସମସ୍ୟାରୁ ଘଟିଲା କ୍ରାସ୍

Rourkela: ରାଉରକେଲାରେ ଘଟିଥିବା ବିମାନ ଦୁର୍ଘଟଣାର ସତ ଏବେ ସାମ୍ନାକୁ ଆସିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନସ୍ଥ AAIB (Aircraft Accident Investigation Bureau) ପକ୍ଷରୁ ପ୍ରକାଶ ପାଇଥିବା ପ୍ରାଥମିକ ରିପୋର୍ଟରେ ଚମକଦାର ଖୁଲାସା ହୋଇଛି।

ରିପୋର୍ଟ ଅନୁଯାୟୀ, ବିମାନଟି ରାଉରକେଲାରେ ଲ୍ୟାଣ୍ଡିଂ ପୂର୍ବରୁ ହିଁ ଇନ୍ଧନ ସମସ୍ୟାରେ ପଡ଼ିଥିଲା। ଆକାଶମାର୍ଗରେ ଥିବା ସମୟରେ ବିମାନରୁ ତେଲ ସରିଆସୁଥିବା ଜଣାପଡ଼ିଛି। ଫଳରେ ଧୀରେ ଧୀରେ ଇନ୍ଧନ ଶେଷ ହୋଇଯାଇଥିଲା ଓ ଇଞ୍ଜିନର କାର୍ଯ୍ୟକ୍ଷମତା କମିଯାଇଥିଲା। ଶେଷରେ ଏହି ପରିସ୍ଥିତି ଦୁର୍ଘଟଣାକୁ ନେଇଯାଇଥିଲା।

ଏହି ଦୁର୍ଘଟଣା ଗତ ଜାନୁଆରୀ ୧୦ ତାରିଖରେ ଘଟିଥିଲା ଓ ସେଥିଠାରୁ ଏହାର କାରଣ ନେଇ ବିଭିନ୍ନ ଅନୁମାନ ହେଉଥିଲା। କେହି ଯାନ୍ତ୍ରିକ ତ୍ରୁଟିକୁ ଦାୟୀ କହୁଥିବାବେଳେ, କେହି ପାଇଲଟଙ୍କ ଭୁଲ୍‌ ଉପରେ ଆଙ୍ଗୁଠି ଉଠାଉଥିଲେ। କିନ୍ତୁ AAIB ର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଇନ୍ଧନ ଲିକ୍ ହେବା ଏହି ଦୁର୍ଘଟଣାର ପ୍ରମୁଖ କାରଣ ଭାବେ ଆସିଛି। ତଥାପି, ଏହି ଘଟଣା ପଛରେ ଅବହେଳା ଥିଲା କି ନାହିଁ, ସେଥି ପାଇଁ ଆହୁରି ତଦନ୍ତ ଚାଲିଛି।

ଏହାସହିତ ଏବେ ଅନେକ ପ୍ରଶ୍ନ ଉଠୁଛି। ବିମାନ ଉଡ଼ାଣ ପୂର୍ବରୁ ଇନ୍ଧନର ସଠିକ୍ ଯାଞ୍ଚ ହୋଇନଥିଲା କି? ତେଲ ସରିବା ଘଟଣା ପାଇଲଟ୍ କାହିଁକି ଧରିପାରିଲେ ନାହିଁ? ଏହି ପ୍ରଶ୍ନଗୁଡ଼ିକ ଏବେ ତଦନ୍ତକୁ ଆହୁରି ଗଭୀର କରିଛି। AAIB ର ଅନ୍ତିମ ରିପୋର୍ଟ ପ୍ରକାଶ ପାଇଲେ ଏହି ଘଟଣାର ପୂରା ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।