୪ ଦିନ ପରେ ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ଭୁବନେଶ୍ଵର: ୪ ଦିନ ପରେ ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ । ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଗଡ଼ିଲା ଘରୋଇ ବସ୍ । ପୁରୀଠାରେ ବସିଥିବା ରାଜ୍ୟ ଘରୋଇ ବସ ମାଲିକ ସଂଘର ବୈଠକରେ ଗତକାଲି ଏହି ନିଷ୍ପତ୍ତି ନିଆଯାଇଛି । ବସ ଚଳାଚଳ କରୁନଥିବାରୁ ସାରା ରାଜ୍ୟରେ ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ତେବେ ଏଥିପାଇଁ ସୁରକ୍ଷା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ସଂଘ ଅପିଲ କରିଛି ।

ସେପଟେ ଡ୍ରାଇଭର ମହାସଂଘ ଧର୍ମଘଟକୁ ସମର୍ଥନ ଜଣାଇବ ନାହିଁ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଚାରି ଦିନ ଧରି ଧର୍ମଘଟ ଯୋଗୁଁ କ୍ଷତି ସହୁଛନ୍ତି ବସ୍ ମାଲିକ । ହଜାର ହଜାର ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ତେଣୁ ଡ୍ରାଇଭର ମହାସଂଘର ଷ୍ଚିୟରିଂ ଛାଡ଼ ଆନ୍ଦୋଳନକୁ ଆଉ ସମର୍ଥନ ଦିଆଯିବ ନାହିଁ ବୋଲି ଘରୋଇ ବସ ମାଲିକ ସଂଘ ସୂଚନା ଦେଇଛନ୍ତି । ତେଣୁ ଆଜିଠୁ ଘରୋଇ ବସ୍ ଚଳାଚଳ ସେବା ସ୍ବାଭାବିକ ହୋଇଛି ।

ସୂଚନାଯୋଗ୍ୟ, ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ ରହିଥିଲା । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ୪ ଦିନ ହେଲା ଯାତ୍ରୀ ପରିବହନ ଏକ ପ୍ରକାରର ଠପ ହୋଇ ଯାଇଥିଲା । ଗତକାଲି ସନ୍ଧ୍ୟାରେ ପୁରୀରେ ଅନୁଷ୍ଠିତ ବୈଠକରେ ଆଜିଠାରୁ ବସ୍‌ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସମସ୍ତ ୧୪ ହଜାର ବସ୍‌ ଗଡ଼ିବ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସହିତ ୫୨ଟି ଆଞ୍ଚଳିକ ସଂଘ ମିଶି ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଆନ୍ଦୋଳନ ସମୟରେ ବସ୍‌ ଅଟକାଯାଉଥିବାରୁ ସୁରକ୍ଷା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ଘରୋଇ ବସ୍ ମାଲିକ ସଂଘ ।