ଦେଶବାସୀଙ୍କ ଉପରେ ପୁଣି ହେବ ମହଙ୍ଗା ମାଡ
ହଠାତ୍ ବଢିଯିବ ପେଟ୍ରୋଲ ଓ ଡିଜେଲ ଦର
ବଢୁଛି ଅଶୋଧିତ ତୈଳ ଦର, ଚିନ୍ତାରେ ଭାରତ
ଦେଶରେ ବଢୁଥିବା ଦରଦାମ୍ ଉପରେ ଏବେ ଆଉ ଲଗାମ୍ ନାହିଁ । ବେଶ୍ କିଛି ମାସ ହୋଇଯିବ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ହୁ ହୁ ହୋଇ ବୃଦ୍ଧି ପାଉଛି ।ତେବେ ବିଶେଷକରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ପରେ ସାଧାରଣ ଖାଉଟିଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପଡୁଛି କାହିଁକିନା ତୈଳ ଦର ବୃଦ୍ଧି ପାଇବା ପରେ ସମସ୍ତ ଜିନିଷର ଦରଦାମ ବିଶେଷ ଭାବରେ ବୃଦ୍ଧି ପାଉଛି । ଆଉ ଏବେ ପୁଣିଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାର ଆଶଙ୍କା ବଢ଼ିବାରେ ଲାଗିଛି । କାରଣ ବିଦେଶରୁ ଅଶୋଧିତ ତେଲ କିଣିବା ଭାରତ ପାଇଁ ଦିନକୁ ଦିନ ବେଶ୍ ମହଙ୍ଗା ସାବ୍ୟସ୍ତ ହେଉଛି । ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ୍ ସେଲ୍ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସ ଅର୍ଥାତ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଭାରତର କ୍ରୁଡ୍ ଅଏଲ୍ ଆମଦାନି ବିଲ୍ ୭୪.୮ ବିଲିୟନ୍ ଡଲାରରେ ପହଞ୍ଚିଛି, ଯାହା ଗତବର୍ଷ ଏହି ସମୟରେ ମାତ୍ର ୫୦.୪ ବିଲିୟନ୍ ଡଲାର ରହିଥିଲା ।ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଭାରତ ପୂର୍ବ ବର୍ଷ ତୁଳନାରେ ଅଧିକ ପରିମାଣର ତେଲ ଆମଦାନି କରିନାହିଁ । ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଭାରତ ପ୍ରାୟ ୧୦୦.୭ ମିଲିୟନ୍ ଟନ୍ ଅଶୋଧିତ ତେଲ କ୍ରୟ କରିଥିବା ବେଳେ ଗତବର୍ଷ ଏହା ୧୦୧.୧ ମିଲିୟନ୍ ଟନ୍ ଥିଲା । ଅର୍ଥାତ୍ ଆମଦାନି ପରିମାଣ ପୂର୍ବପରି ସ୍ଥିର ରହିଥିଲେ ସୁଦ୍ଧା , କେବଳ ଦାମ ବୃଦ୍ଧି ପାଇବା ଯୋଗୁଁ ଭାରତକୁ ବିପୁଳ ପରିମାଣର ଅତିରିକ୍ତ ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିଛି । କେବଳ ଅଗଷ୍ଟ ମାସରେ ହିଁ ଆମଦାନି ବିଲ୍ ୧୧.୭ ବିଲିୟନ୍ ଡଲାରରେ ପହଞ୍ଚିଛି, ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୮ ପ୍ରତିଶତ ଅଧିକ ଅଟେ । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢିବା ହେତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି । ବର୍ତ୍ତମାନ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା 102 ଡଲାର ପାଖାପାଖି ରହିଛି । ଅପରପକ୍ଷରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଯଦି ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ଦୀର୍ଘ ଦିନ ଧରି 100 ଡଲାର ଉପରେ ରହେ ତେଲ କମ୍ପାନୀଗୁଡିକ ଖୁବଶୀଘ୍ର ପେଟ୍ରୋଲ ଡିଜେଲ ଦର ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଛି ।