ପାର୍ବଣ ପୂର୍ବରୁ ଖାଉଟିଙ୍କ ପକେଟ କୁ ଲାଗିଲା ଶକ୍ତ ଝଟକା
୮ ଟଙ୍କା ବଢିଯିବ କ୍ଷୀର ଦର
ମହଙ୍ଗା ହେବ ଦୁଗ୍ଧଜାତ ଦ୍ରବ୍ୟ
ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ମହଙ୍ଗା ମାଡ ପଡିଛି ଦେଶବାସୀ ଙ୍କ ପକେଟ ଉପରେ । ଅତ୍ୟାବଶ୍ୟକୀୟ ଜିନିଷର ଦରଦାମରେ ଅହେତୁକ ବୃଦ୍ଧି ସାଧାରଣ ଜନତାଙ୍କ ପକେଟ ଉପରେ ବଡ ପ୍ରଭାବ ପକାଉଥିବା ବେଳେ ପାର୍ବଣ ଋତୁ ପୂର୍ବରୁ ଲୋକଙ୍କୁ ଆଉ ଏକ ଝଟକା ଲାଗିବାକୁ ଯାଉଛି । କର୍ଣ୍ଣାଟକରେ ଖୁବଶୀଘ୍ର କ୍ଷୀର ଦରରେ ବଡ ଧରଣର ବୃଦ୍ଧି ଦେଖିବାକୁ ମିଳିପାରେ । କ୍ଷୀର ଦରରେ ଲିଟର ପିଛା 8 ଟଙ୍କା ବୃଦ୍ଧି ଘଟିପାରେ । ତେବେ ସୂଚନା ମୁତାବକ, କର୍ଣ୍ଣାଟକର ଦୁଗ୍ଧ ଉତ୍ପାଦକ ସଂଘଗୁଡିକ କ୍ଷୀର ଦର ବୃଦ୍ଧି କରିବାକୁ ଦାବି କରିଛନ୍ତି । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଉଛି ହେଲେ କ୍ଷୀର ଉତ୍ପାଦନ କମୁଛି ଯେଉଁଥିପାଇଁ ବ୍ୟବସାୟୀଙ୍କ ଉପରେ ଚାପ ପଡୁଛି । କର୍ଣ୍ଣାଟକ ମିଲ୍କ ପ୍ରଡ୍ୟୁସର୍ସ ଆସୋସିଏସନ ଅନୁସାରେ ବାମୁଲ,ଚାମୁଲ,ମାଣ୍ଡ୍ୟା ମିଲ୍କ ଏବଂ ତୁମକୁର ସମେତ ଅନେକ ବଡ ମିଲ୍କ ୟୁନିଅନ ଏହି ଦାବି ସପକ୍ଷରେ ଅଛନ୍ତି । ଖାଲି ସେତିକି ନୁହେଁ ସଂଘଗୁଡିକ ଦୁଗ୍ଧ ଉତ୍ପାଦକମାନଙ୍କୁ ଦିଆଯାଉଥିବା ସରକାରୀ ପ୍ରୋତ୍ସାହନ ରାଶି ମଧ୍ୟ ବୃଦ୍ଧି କରିବାକୁ ଦାବି କରିଛନ୍ତି । ତେବେ ଏହି ଦାବିଗୁଡ଼ିକୁ ପୂରଣ କରିବା ପାଇଁ ଉତ୍ପାଦକମାନେ ସରକାରଙ୍କୁ ୩ ଦିନର ଚରମ ଚେତାବନୀ ଦେଇଛନ୍ତି । ଯଦି ଏହି ସମୟ ମଧ୍ୟରେ ସରକାର କ୍ୟାବିନେଟ ବୈଠକ ଡାକି ଏହା ଉପରେ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ଉତ୍ପାଦକମାନେ ବିଧାନସଭା ସମ୍ମୁଖରେ ବିରୋଧ କରିବାକୁ ଚେତାବନୀ ଦେଇଛନ୍ତି । ତେବେ ଦୁଗ୍ଧ ସଂଘଗୁଡ଼ିକ ଙ୍କ ମତ ଅନୁସାରେ, ଦୁଗ୍ଧ ଚାଷୀମାନେ ଏବେ ପ୍ରବଳ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଗୋଟିଏ ପଟେ କମ ବର୍ଷା ଯୋଗୁଁ ଗୋରୁଗାଈଙ୍କ ପାଇଁ ସବୁଜ ଘାସର ଘୋର ଅଭାବ ଦେଖାଦେଇଥିବା ବେଳେ,ଅନ୍ୟପଟେ ଗୋଖାଦ୍ୟ ଏବଂ କଞ୍ଚାମାଲ ଦରରେ 25 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଏହା ପରେ ମଧ୍ୟ ପରିବହନ ଖର୍ଚ୍ଚ ବଢ଼ିଛି; ଏ ସବୁକୁ ମିଶାଇ କ୍ଷୀର ଉତ୍ପାଦନ ଖର୍ଚ୍ଚ ଯଥେଷ୍ଟ ବଢ଼ିଯାଇଛି । ତେବେ ଏଭଳି ପରିସ୍ଥିତିରେ ଚାଷୀଙ୍କ ପାଇଁ ଗୋରୁଗାଈ ପାଳନ କରିବା କଷ୍ଟକର ହୋଇପଡ଼ିଛି, ଯାହାର ପ୍ରଭାବ ସେମାନଙ୍କର ମୋଟ ଉତ୍ପାଦନ ଉପରେ ପଡୁଛି । ଯଦି ରାଜ୍ୟ ସରକାର ଦୁଗ୍ଧ ସଂଘଗୁଡ଼ିକ ପକ୍ଷରୁ ଉଠାଯାଇଥିବା ଦାବିକୁ ମାନିନିଅନ୍ତି ଏବଂ ଦର ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ଦିଅନ୍ତି, ତେବେ ଦଶହରା ପୂର୍ବରୁ ମିଠା ଦର ମହଙ୍ଗା ହୋଇପାରେ । ଗୋଟିଏ ପଟେ ଦେଶରେ ଚିନିଦରରେ ଅହେତୁକ ବୃଦ୍ଧି ପାଇଁ ବ୍ୟବସାୟୀ ଓ ଖାଉଟି ଚିନ୍ତାରେ ଆଉ ଏତିକିବେଳେ କ୍ଷୀର ଦର ବୃଦ୍ଧି ପାଇବା ହେତୁ ଦୁଗ୍ଧଜାତ ସାମଗ୍ରୀର ଦର ମଧ୍ୟ ଆକାଶଛୁଆଁ ହୋଇପାରେ ବୋଲି କୁହାଯାଉଛି । ତେବେ ଏଭଳି ପରିସ୍ଥିତିରେ ଚିନ୍ତାରେ ରହିଛନ୍ତି ଦେଶବାସୀ ।