ସେପ୍ଟେମ୍ବର ୨୮ରୁ ପୁଣି ହେବ ବ୍ୟାଙ୍କ ଧର୍ମଘଟ
ଲଗାତାର ୩ ଦିନ ବନ୍ଦ ରହିବ ବ୍ୟାଙ୍କ
ସେପ୍ଟେମ୍ବର ୨୮ରୁ ବାଧାପ୍ରାପ୍ତ ହେବ ବ୍ୟାଙ୍କିଂ ସେବା
ଯଦି ଚଳିତ ମାସ ଶେଷ ଆଡ଼କୁ ଆପଣଙ୍କର କିଛି ବ୍ୟାଙ୍କିଂ କାମ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ପୁଣି ଥରେ ଦେଶବ୍ୟାପୀ ବାଧାପ୍ରାପ୍ତ ହେବାକୁ ଯାଉଛି ବ୍ୟାଙ୍କ ସେବା । କାହିଁକି ନା ଆସନ୍ତା ସେପ୍ଟେମ୍ବର ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ । ଏହି ଆନ୍ଦୋଳନ ଯୋଗୁଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଏହା ପୂର୍ବରୁ ଚଳିତ ମାସ ୧୧ ତାରିଖରେ ମଧ୍ୟ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିଥିଲେ ।
ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ଗ୍ରାହକମାନଙ୍କ ପାଇଁ ଏକ ଜରୁରୀ ପରାମର୍ଶବଳୀ ଜାରି କରିଛି । ଧର୍ମଘଟ ତାରିଖ ପୂର୍ବରୁ ନିଜର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଂ କାରବାର ସାରିଦେବାକୁ ଏସବିଆଇ ନିଜର ଗ୍ରାହକଙ୍କୁ ନିବେଦନ କରିଛି । ତେବେ ଧର୍ମଘଟ ସମୟରେ ଗ୍ରାହକଙ୍କୁ ସମ୍ଭାବ୍ୟ ଅସୁବିଧାରୁ ରକ୍ଷା କରିବା ପାଇଁ ଏବଂ ଯଥାସମ୍ଭବ ଅତ୍ୟାବଶ୍ୟକ ସେବା ଜାରି ରଖିବାକୁ ବ୍ୟାଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହା ସହ ଗ୍ରାହକମାନେ ନଗଦ କାରବାର ପାଇଁ ଏଟିଏମ୍ ଏବଂ ଅନ୍ୟାନ୍ୟ ଜରୁରୀ କାମ ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଂ, YONO ଆପ୍, ଓ UPI ଭଳି ଡିଜିଟାଲ୍ ସେବାର ବ୍ୟବହାର କରିପାରିବେ ।