ଟ୍ୱିନ ସିଟିରେ ବନ୍ଦ ହେଲା ଅନଲାଇନ୍ ରାଇଡ । ଅନଲାଇନ୍ ଆପ୍ ଡ୍ରାଇଭର ମାନେ ୭ ଦଫା ଦାବି ନେଇ ‘ଜିରୋ ସପ୍ଲାଇ’ ଆନ୍ଦୋଳନ କରିଛନ୍ତି । ଅନଲାଇନ୍ ଓ ଅଫଲାଇନ୍ ଡ୍ରାଇଭର ସଂଗଠନର ମିଳିତ ସଂଗ୍ରାମ ସମିତି ପକ୍ଷରୁ ଓଲା, ଉବେର, ରାପିଡୋ ଭଳି ଆପ୍ କମ୍ପାନୀଗୁଡ଼ିକର ଶୋଷଣ ବିରୋଧରେ ଟ୍ୱିନ ସିଟିରେ “ଜିରୋ ସପ୍ଲାଇ” ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଘୋଷଣା କରାଯାଇଛି । ଦାବି ପୂରଣ ନହେବା ଯାଏଁ ସେବା ବନ୍ଦ ରଖିବାକୁ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।ତେବେ ଡ୍ରାଇଭର ସଂଘ ପକ୍ଷରୁ ସରକାର ଓ କମ୍ପାନୀଗୁଡ଼ିକ ଆଗରେ ରଖାଯାଇଥିବା ୭ଟି ମୁଖ୍ୟ ଦାବି ହେଉଛି ।
୧. ସରକାର ଓ କମ୍ପାନୀ ମିଳିତ ଭାବେ ଏକ ସର୍ବନିମ୍ନ ଓ ସର୍ବାଧିକ ଭାଡ଼ା ନିର୍ଦ୍ଧାରଣ କରନ୍ତୁ । ଗ୍ରାହକଙ୍କଠାରୁ ଅତିରିକ୍ତ ଭାଡ଼ା ନିଆଗଲେ ତାହା ଡ୍ରାଇଭରଙ୍କ ପକେଟରୁ ନକଟି କମ୍ପାନୀ ନିଜେ ବହନ କରୁ ।
୨. ବିନା ତଦନ୍ତରେ ଅନଲାଇନ୍ ଡ୍ରାଇଭରଙ୍କ ଆକାଉଣ୍ଟ ବ୍ଲକ୍ କରିବା ବନ୍ଦ କରାଯାଉ । ପୂର୍ବରୁ ବ୍ଲକ୍ ହୋଇଥିବା ଆକାଉଣ୍ଟଗୁଡ଼ିକୁ ତୁରନ୍ତ ଅନବ୍ଲକ୍ କରାଯାଉ ।
୩. ଯାତ୍ରା ସମୟରେ ଗ୍ରାହକଙ୍କ ଅପେକ୍ଷା ପାଇଁ ଡ୍ରାଇଭରଙ୍କୁ ଉଚିତ ଭାଡ଼ା ପ୍ରଦାନ କରାଯାଉ ।
୪. ଟ୍ରାଫିକ୍ ଜାମରେ ଫସି ରହିବା ଏବଂ ସମୟ ନଷ୍ଟ ହେବା ପାଇଁ ଅତିରିକ୍ତ ସମୟର ହିସାବ କରି କ୍ଷତିପୂରଣ ଦିଆଯାଉ ।
୫. ଗ୍ରାହକ ରାଇଡ୍ ବାତିଲ କଲେ ପୂରା ଟଙ୍କା ଡ୍ରାଇଭରଙ୍କୁ ଦିଆଯାଉ ।
୬. ପ୍ରତ୍ୟେକ ଆପ୍ କମ୍ପାନୀର ଏକ ସ୍ଥାୟୀ କାର୍ଯ୍ୟାଳୟ ରହିବା ବାଧ୍ୟତାମୂଳକ ।
୭. ଆପ୍ କମ୍ପାନୀଗୁଡ଼ିକ ଦ୍ୱାରା ଅନିୟନ୍ତ୍ରିତ ଭାବେ ନୂଆ ଗାଡ଼ି ଯୋଡ଼ିବା (Over-supply) ଉପରେ ରୋକ୍ ଲଗାଯାଉ ଏବଂ ବାର୍ଷିକ ଲିମିଟେଡ୍ ଟାର୍ଗେଟ୍ ରଖାଯାଉ ।