ଦାଦାବଟି ଆଦାୟ ଓ ପୋଲିସକୁ ଆକ୍ରମଣ ଅଭିଯୋଗରେ କୁଖ୍ୟାତ ଅପରାଧୀ ଦିପୁ ଦାସ ଗିରଫ

ପୁଣି ରାଜଧାନୀରେ ଧରାପଡ଼ିଛି ଆଉ ଜଣେ କୁଖ୍ୟାତ ଅପରାଧୀ ଦିପୁ ଦାସ। ଦାଦାବଟି ଆଦାୟ ଓ ପୋଲିସକୁ ଆକ୍ରମଣ ଅଭିଯୋଗରେ ସହୀଦନଗର ଥାନା ପୋଲିସ ତାକୁ ଗିରଫ କରିଛି। ସହୀଦନଗର ଆର୍‌ଆଇଟି କଲୋନୀରେ ଦାଦାବଟି ଆଦାୟ କରୁଥିବା ନେଇ ଅଭିଯୋଗ ପାଇ ପୋଲିସ ତାକୁ ଧରିବାକୁ ଯାଇଥିଲା। ତେବେ ପୋଲିସ ପହଞ୍ଚିବା ପରେ ଦିପୁ ପିସିଆର୍‌ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଦିପୁ ଦାସ ବିରୋଧରେ ପୋଲିସକୁ ଆକ୍ରମଣ, ଦାଦାବଟି ଆଦାୟ ସମେତ ବିଭିନ୍ନ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ପୂର୍ବରୁ ସେ ନୟାପଲ୍ଲୀ ଥାନା ହାଜତରୁ ଚମ୍ପଟ ମାରିଥିବା ଅଭିଯୋଗ ମଧ୍ୟ ରହିଛି। ଏହାଛଡ଼ା ବଳଙ୍ଗାରେ ଘଟିଥିବା ବୋମାମାଡ଼ ଘଟଣାରେ ମଧ୍ୟ ତା’ର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ରହିଛି। ଦିପୁକୁ ଗିରଫ କରି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।