(ରିପୋଟର୍ସ ଟୁଡେ):ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରାଇବାକୁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା’ର ସପ୍ତମ ପର୍ଯ୍ୟାୟର ଆଜି ଶୁଭାରମ୍ଭ ହୋଇଛି । ଶନିବାର ବାଲେଶ୍ୱରରୁ ଏକ ଟ୍ରେନ୍ ତୀର୍ଥ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଭିଡିଓ କନଫରେନ୍ସି ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ବାଲେଶ୍ୱରରୁ ବାହାରିଥିବା ଏହି ଯାତ୍ରାରେ ଭଦ୍ରକ, ଯାଜପୁର , ମୟୁରଭଂଜ ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ଏକ ହଜାର ବରିଷ୍ଠ ନାଗରିକ ସାମିଲ ହୋଇଛନ୍ତି । ସେମାନେ ଆଗ୍ରା, ଫତେପୁର ସିକ୍ରି ଓ ମଥୁରା ଭ୍ରମଣ କରି ଆସନ୍ତା ୧୧ ତାରିଖରେ ପ୍ରତ୍ୟାବର୍ତନ କରିବେ । ମୁଖ୍ୟମନ୍ତ୍ରୀ ସମସ୍ତ ଯାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ରାସବିଦ୍ୟାଧରପୁରର ଜଣେ ବୃଦ୍ଧା ଅମ୍ବିକା ମହାନ୍ତି ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କର ଏହି ଉପକାର ସେ କେବେ ବି ଭୁଲି ପାରିବେ ନାହିଁ ।
ପୂର୍ବରୁ ବର୍ଷକୁ ମାତ୍ର ତିନୋଟି ଯାତ୍ରା କରୁଥିବାବେଳେ ଚଳିତ ବର୍ଷ ୬ଟି ଟ୍ରେନ୍ରେ ୬ ହଜାର ବରିଷ୍ଠ ନାଗରିକ ତୀର୍ଥସ୍ଥାନ ଭ୍ରମଣ କରିବେ । ଏଥିପାଇଁ ୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ଓ ନିର୍ଦ୍ଦେଶ ପ୍ରମୁଖ ସଚିବାଳୟରେ ଉପସ୍ଥିତ ଥିବାବେଳେ ବାଲେଶ୍ୱରରେ ଶିଳ୍ପ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଉପସ୍ଥିତ ରହି ଯାତ୍ରୀଙ୍କୁ ଶୁଭେଚ୍ଛା ଦେଇଥିଲେ ।