ଚଳିତ ମାସ ୧୧ ରୁ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ

(ରିପୋର୍ଟସ ଟୁଡ଼େ): ମଝିରେ ଆଉ ଦୁଇ ଦିନ । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ । ଦେଶର ପ୍ରତିଷ୍ଠିତ ଶିଳ୍ପପତିଙ୍କ ସହ ୨୮ ଦେଶର ରାଷ୍ଟ୍ରଦୂତ ଓ ୫୦ଟି ବିଦେଶୀ କଂପାନୀ ଭାଗ ନେବେ । ଏକ୍ସପୋରେ ପ୍ରଦର୍ଶିତ ହେବ ଶିଳ୍ପ ପାଇଁ ଓଡ଼ିଶା କିଭଳି ଓ କେତେ ଅନୁକୂଳ । ଏହି କନକ୍ଲେଭ ପାଇଁ ଭୁବନେଶ୍ୱର ଜନତା ମୈଦାନରେ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଓଡ଼ିଶର ୪ ଟି ପ୍ରମୁଖ ନଦୀ ନାମରେ ହଲ୍ ଗୁଡ଼ିକ ନାମିତ କରାଯାଇଛି । ୨୦୧୬ ମସିହାରେ ପ୍ରଥମ ମେକ୍ ଇନ ଓଡ଼ିଶା ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ପୁଂଜିନିବେଶ ପାଇଁ ଦେଢ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା । ଦ୍ୱିତୀୟ ସଂସ୍କରଣରେ ମଧ୍ୟ ସଫଳତା ମିଳିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।

ଏନେଇ ଆଜି ଆୟୋଜିତ ସମ୍ମାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ୀ ଅନନ୍ତ ଦାସ ସୁଚନା ଦେଇଛନ୍ତି । ଜାପାନ ଏହି କନ୍କ୍ଲେଭର କଂଟ୍ରି ପାର୍ଟନର ରହିଛି । ଏହି କନ୍କ୍ଲେଭ ବ୍ୟବସାୟୀଙ୍କୁ ସେମାନଙ୍କ ନେଟୱାର୍କ ବୃଦ୍ଧି ଓ ଅଂଶିଦାର ପାଇଁ ଅନନ୍ୟ ସୁଯୋଗ ଯୋଗାଇବ । କାର୍ଯ୍ୟକ୍ରମର ଏକ୍ସପୋ ରାଜ୍ୟରେ କମ୍ପାନୀଗୁଡ଼ିକ ବ୍ୟବହାର କରୁଥିବା ମାନ୍ୟୁଫାକଚରିଂ ନିପୁଣତାକୁ ବୃହତ ଆକାରରେ ପ୍ରଦର୍ଶନ କରିବ ବୋଲି ଶ୍ରୀ ଦାସ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ସଚିବ ସଞ୍ଜିବ ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ ।