ଯୋଡ଼ା ଟ୍ରକ୍ ମାଲିକ ସଂଘ ନିର୍ବାଚନ: ଚମ୍ପୁଆ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀଙ୍କ ବିପୁଳ ବିଜୟ

ଖଣି ସମୃଦ୍ଧ ଯୋଡ଼ା ଅଞ୍ଚଳର ସର୍ବପୁରାତନ ଯୋଡ଼ା ଟ୍ରକ୍ ମାଲିକ ସଂଘର ୨୦୨୬ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ସଂଘର ୫ଟି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ସ୍ଥାନୀୟ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥିତ ପ୍ରାର୍ଥୀ ସଭାପତି ଭାବେ ରାଜେଶ ରୋଶନ, ଉପସଭାପତି ଭାବେ ଦୀପକ ମହାନ୍ତ, ସମ୍ପାଦକ ଭାବେ ରବି ନାରାୟଣ ଦାସ, ଯୁଗ୍ମ ସମ୍ପାଦକ ଭାବେ ମହେଶ ସିଂହ ଏବଂ କୋଷାଧ୍ୟକ୍ଷ ଭାବେ ଗୌତମ ବେହେରା ବିଜୟୀ ହୋଇଛନ୍ତି । ସଭାପତି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ରାଜେଶ ରୋଶନ ୫୩୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମାତା ଜୟସ୍ୱାଲ ୫୧୫ ଖଣ୍ଡ ଭୋଟ ପାଇଛନ୍ତି । ଉଭୟଙ୍କ ମଧ୍ୟରେ ୨୪ ଖଣ୍ଡ ଭୋଟର ବ୍ୟବଧାନ ରହିଛି । ଉପସଭାପତି ପଦବୀରେ ଦୀପକ ମହାନ୍ତ ୫୮୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜୟ ଆପଟ ୪୪୧ ଏବଂ ହେମନ୍ତ କୁମାର ଗୁପ୍ତା ୨୨ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ସମ୍ପାଦକ ପଦବୀରେ ରବି ନାରାୟଣ ଦାସ ୬୩୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସୁଶାନ୍ତ କୁମାର ବାରିକ ୪୧୭ ଖଣ୍ଡ ଭୋଟ ପାଇଛନ୍ତି । ଯୁଗ୍ମ ସମ୍ପାଦକ ପଦବୀରେ ମହେଶ ସିଂହ ୪୩୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅଶୋକ କାରୁଆ ୪୦୬ ଏବଂ ମାୟାଧର ପାତ୍ର ୨୧୫ ଖଣ୍ଡ ଭୋଟ ପାଇଛନ୍ତି । କୋଷାଧ୍ୟକ୍ଷ ପଦବୀରେ ଗୌତମ ବେହେରା ୫୩୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଲକ୍ଷ୍ମଣ ବାରିକ ୪୦୩, ସୁଧୀର ତିରିଆ ୭୭ ଏବଂ ନିର୍ମଳ ସିଂହ ୩୭ ଖଣ୍ଡ ଭୋଟ ପାଇଛନ୍ତି । ଫଳାଫଳ ଘୋଷଣା ହେବା ପରେ ବିଜୟୀ ଟିମର ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି ଜାଟୱା ଭଳି ଜିଲ୍ଲାର ସର୍ବବୃହତ୍ତ ପରିବହନ ସଂସ୍ଥାରେ ୧୦୭୭  ପଞ୍ଜୀକୃତ ଟ୍ରକ ମାଲିକଙ୍କ ମଧ୍ୟରୁ ୧୦୬୦ ଜଣ ମତ ସାବସ୍ତ୍ୟ କରି ଥିବାବେଳେ ୧୬ ସଭ୍ୟ ମତଦାନରୁ ବିରତ ରହିଥିଲେ । ଜାଟୱା ନିର୍ବାଚନର ମୁଖ୍ୟ ନିର୍ବାଚନ ଅଧିକାରୀ ରୂପେ ଆଇନଜିବୀ ଚିନ୍ମୟ ବାରିକ ଏହି  ନିର୍ବାଚନକୁ ପରିଚାଳନା କରିଥିଲେ । ନୂତନ କର୍ମକର୍ତ୍ତା ଟ୍ରକ୍ ମାଲିକଙ୍କ ସ୍ୱାର୍ଥ ସୁରକ୍ଷା, ପରିବହନ କ୍ଷେତ୍ରରେ ସମାନ ସୁଯୋଗ ସୁନିଶ୍ଚିତ କରିବା, ସଂଘର ଆର୍ଥିକ କାରବାରରେ ସ୍ୱଚ୍ଛତା ଏବଂ ସଦସ୍ୟଙ୍କ ସମସ୍ୟାର ସମାଧାନ ସହ ନିର୍ବାଚନ ସମୟରେ ଉଠିଥିବା ପ୍ରସଙ୍ଗଗୁଡ଼ିକର ସମାଧାନ ଦିଗରେ ନୂତନ ନେତୃତ୍ୱ ପଦକ୍ଷେପ ନେବେ ।