ICC T20 ରାଙ୍କିଂରେ ଭାରତୀୟଙ୍କ ଦବଦବା, ଇଶାନ ଶୀର୍ଷରେ; ଅଭିଷେକ ଦ୍ୱିତୀୟ

ଆଇସିସି ଟି୨୦ ରାଙ୍କିଂରେ ଭାରତୀୟ ଖେଳାଳିଙ୍କୁ ବଡ଼ ଫାଇଦା ମିଳିଛି। ବ୍ୟାଟିଂ ରାଙ୍କିଂରେ ଇଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଅଭିଷେକ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟରେ ପହଞ୍ଚିଛନ୍ତି। ସେ ପାକିସ୍ତାନର ସାହିବଜାଦା ଫରହାନଙ୍କୁ ପଛରେ ପକାଇଛନ୍ତି। ଇଶାନ ଅଭିଷେକଙ୍କ ମଧ୍ୟରେ ଏବେ ୫୧ ରେଟିଂ ପଏଣ୍ଟର ତଫାତ ରହିଛି। ସଞ୍ଜୁ ସାମସନ ମଧ୍ୟ ୪ଟି ସ୍ଥାନ ଉପରକୁ ଉଠି ୩୦ତମ ସ୍ଥାନରେ ପହଞ୍ଚିଛନ୍ତି।

ବୋଲିଂ ରାଙ୍କିଂରେ ମଧ୍ୟ ଭାରତୀୟଙ୍କ ଉନ୍ନତି ହୋଇଛି। ଯଶପ୍ରୀତ ବୁମ୍ରା ୭ଟି ସ୍ଥାନ ଉପରକୁ ଉଠି ୧୦ମରେ ଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ଟି ସ୍ଥାନ ଉନ୍ନତି କରି ଟପ୍୫ରେ ସାମିଲ ହୋଇଛନ୍ତି। ଅର୍ଶଦୀପ ସିଂହ ୧୧ଟି ସ୍ଥାନ ଉପରକୁ ଉଠି ୧୪ତମ ଏବଂ ଅକ୍ଷର ପଟେଲ ୬ଟି ସ୍ଥାନ ଉନ୍ନତି କରି ୨୭ତମ ସ୍ଥାନ ହାସଲ କରିଛନ୍ତି।

ଅଷ୍ଟ୍ରେଲିଆ ଖେଳାଳିଙ୍କ ରାଙ୍କିଂରେ ମଧ୍ୟ ସୁଧାର ଆସିଛି। ଜିମ୍ବାୱେ ବିପକ୍ଷରେ ୱିକେଟ୍ ନେଇଥିବା ନେଥନ ଏଲିସ ୨୦ଟି ସ୍ଥାନ ଉପରକୁ ଉଠି ୨୦ତମରେ ପହଞ୍ଚିଛନ୍ତି। ଶତକୀୟ ଇନିଂସ ଖେଳିଥିବା ମାଥ୍ୟୁ ରେନଶ ପ୍ରଥମଥର ପାଇଁ ଟପ୍୧୦୦ରେ ପ୍ରବେଶ କରି ୬୮ତମ ସ୍ଥାନ ହାସଲ କରିଛନ୍ତି। କ୍ୟାପର କନୋଲି ମଧ୍ୟ ୯ଟି ସ୍ଥାନ ଉପରକୁ ଉଠି ୭୭ତମରେ ପହଞ୍ଚିଛନ୍ତି।

ଏପଟେ ଟେଷ୍ଟ ବୋଲିଂ ରାଙ୍କିଂରେ ଇଂଲଣ୍ଡର ଓଲି ରବିନସନ୍ଙ୍କୁ ମଧ୍ୟ ଫାଇଦା ମିଳିଛି। ସେ ୨ଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଟେଷ୍ଟ ବୋଲିଂ ରାଙ୍କିଂ ବୋଲି ଜଣାପଡ଼ିଛି।