ଢାକା: ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଛି । ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ଜୀବନ ଯାଇଛି । ଆକ୍ରମଣ ପରେ ହିନ୍ଦୁ ବ୍ୟବସାୟୀ ଖୋକୋନ ଦାସଙ୍କ ଜୀବନ୍ତ ଜାଳି ଦିଆଯାଇଛି । ଆଜି ଢାକାର ନ୍ୟାସନାଲ ବର୍ଣ୍ଣ ଇନଷ୍ଟିଚ୍ୟୁଟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହାପୂର୍ବରୁ ବାଂଲାଦେଶରେ ଦୀପୁ ଦାସ, ଅମୃତ ମଣ୍ଡଳ ଏବଂ ବିଜେନ୍ଦ୍ର ବିଶ୍ବାସଙ୍କ ହତ୍ୟା କରାଯାଇଛି ।

ସମାଚାର ଏଜେନ୍ସି ଏଏନଆଇ ଅନୁସାରେ, ନ୍ୟାସନାଲ ବର୍ନ ଇନଷ୍ଟିଚ୍ୟୁଟର ପ୍ରଫେସର ଡକ୍ଟର ଶାଓନ ବିନ୍ ରହମାନ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି । ୫୦ ବର୍ଷୀୟ ଖୋକୋନ ଚନ୍ଦ୍ର ଦାସଙ୍କୁ ପୋଡ଼ି ଦିଆଯିବାର ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ସୂଚନା ଅନୁଯାୟୀ, ଖୋକୋନ କୋନେଶ୍ୱର ୟୁନିଅନର ତିଲୋଇ ଗ୍ରାମର ବାସିନ୍ଦା ଥିଲେ । କେଉରଭଙ୍ଗା ବଜାରରେ ଏକ ମୋବାଇଲ୍ ବ୍ୟାଙ୍କିଂ ବ୍ୟବସାୟ ସହିତ ଏକ ଔଷଧ ଦୋକାନ ଚଳାଉଥିଲେ । ବୁଧବାର ରାତିରେ ସେ ତାଙ୍କ ଦୋକାନ ବନ୍ଦ କରି ଏକ ଅଟୋ-ରିକ୍ସାରେ ଘରକୁ ଫେରୁଥିଲେ ଦୁର୍ବୃତ୍ତମାନେ ରାସ୍ତାରେ ଗାଡ଼ିକୁ ଅଟକାଇ ତାଙ୍କୁ ଆକ୍ରମଣ କରିଥିଲେ ।

ପୀଡିତଙ୍କ ସ୍ତ୍ରୀ ସୀମା ଦାସ କହିଛନ୍ତି, ତାଙ୍କୁ କାହିଁକି ଟାର୍ଗେଟ୍ କରାଯାଇଥିଲା ତାହା ଜାଣିନାହାନ୍ତି । ସେ କହିଛନ୍ତି, “ମୋ ସ୍ୱାମୀ ପ୍ରତିଦିନ ରାତିରେ ତାଙ୍କ ଦୋକାନ ବନ୍ଦ କରି ବିକ୍ରି ଟଙ୍କା ନେଇ ଘରକୁ ଫେରୁଥିଲେ । ବୁଧବାର ରାତିରେ ଦୁର୍ବୃତ୍ତମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚିହ୍ନିପାରିଥିଲେ ଏବଂ ସେଥିପାଇଁ ସେମାନେ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ । ତାଙ୍କୁ ହାଣିବା ଏବଂ ତାଙ୍କ ଉପରେ ପେଟ୍ରୋଲ ଢାଳିବା ପରେ ତାଙ୍କ ମୁଣ୍ଡ ଏବଂ ମୁହଁରେ ନିଆଁ ଲଗାଇ ଦେଇଥିଲେ । ଏହି ଅଞ୍ଚଳରେ ଆମର କାହା ସହ କୌଣସି ଶତ୍ରୁତା ନାହିଁ । କୌଣସି ବିଷୟରେ ଆମର କାହା ସହିତ କୌଣସି ବିବାଦ ନାହିଁ । ଆମେ ବୁଝିପାରୁ ନାହୁଁ ଯେ ଅପରାଧୀମାନେ ହଠାତ୍ ମୋ ସ୍ୱାମୀଙ୍କୁ କାହିଁକି ଟାର୍ଗେଟ କଲେ ।”