ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ଦୁଇ ଗୋଷ୍ଠୀ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବାଧାପ୍ରାପ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସେବା ଅଧିକାରକୁ ନେଇ ପୂଜା ପଣ୍ଡା ଓ ପାତ୍ରୀ ସେବାୟତଙ୍କ ମଧ୍ୟରେ ବିବାଦ ଓ ସଂଘର୍ଷ ହୋଇଥିଲା। ଯାହା ଫଳରେ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ବନ୍ଦ ରହିଛି। ବଡ଼ସିଂହାର ବେଶ ପରେ ପୂଜା ପଣ୍ଡା ସେବାୟତମାନେ ନୀତିକାନ୍ତି ସମ୍ପାଦନ କରିବା ବନ୍ଦ କରିଦେଇଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଥିବା ମତଭେଦ ଯୋଗୁଁ ଦେବତାଙ୍କ ନିର୍ଦ୍ଧାରିତ ଦୈନନ୍ଦିନ ନୀତିକାନ୍ତି ଆଗକୁ ବଢ଼ିପାରି ନଥିଲା।
ଏହି ସମସ୍ୟାର ସମାଧାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସମ୍ପୃକ୍ତ ସେବାୟତ ଗୋଷ୍ଠୀଙ୍କ ସହ ଏକ ବୈଠକ ଡକାଯାଇଛି। ପୂଜା ପଣ୍ଡାଙ୍କ ସୂଚନା ଅନୁଯାୟୀ, ବୈଠକରେ ହେବାକୁ ଥିବା ଆଲୋଚନା ମାଧ୍ୟମରେ ନୀତିକାନ୍ତି ପୁନର୍ବାର ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।

ବାରମ୍ବାର ହେଉଥିବା ଏଭଳି ବିବାଦ ଯୋଗୁଁ ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ କେବେ ଏହି ମତଭେଦର ସମାଧାନ ହେବ ଓ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ପୁନର୍ବାର ଯଥାରୀତି ଆରମ୍ଭ ହେବ, ସେନେଇ ଅପେକ୍ଷା କରି ରହିଛନ୍ତି।