ଜୀବନ ସାଥି ଖୋଜୁଛନ୍ତି 84 ବର୍ଷୀୟ ବୃଦ୍ଧ
କୋଟି କୋଟି ସମ୍ପତ୍ତିର ମାଲିକ , ପାଖରେ ନାହାନ୍ତି ପରିବାର
ବିବାହ କରିବାକୁ ଖୋଜୁଛନ୍ତି କନିଆଁ
ଚକିତ କରାଇବ ଏହି କାହାଣୀ
84 ବର୍ଷରେ କେହି କେବେ ବିବାହ କରିବା କଥା ଆପଣ ଶୁଣିଛନ୍ତି କି ? କଥାଟି ଶୁଣିବାକୁ ଟିକିଏ ଅଜବ ଲାଗୁଥାଇପାରେ କିନ୍ତୁ ଏପରି କିଛି ଖବର ଏବେ ସାମ୍ନାକୁ ଆସିଛି । ଜଣେ 84 ବର୍ଷୀୟ ବୃଦ୍ଧ ବାହା ହେବା ପାଇଁ ମନ ବଳାଇଛନ୍ତି । କେବଳ ମନ ବଳାଇଛନ୍ତି ତାହା ନୁହେଁ ବରଂ ନିଜ ପାଇଁ ନିଜେ କନିଆଁ ଖୋଜୁଛନ୍ତି । ଧନ ସମ୍ପତ୍ତି କୌଣସିରେ ଅଭାବ ନାହିଁ, କୋଟି କୋଟି ଟଙ୍କାର ମାଲିକ ହେଲେ ପାଖରେ ନାହାନ୍ତି ପରିବାର । ବିଳାସବ୍ୟସନରେ ଜୀବନ ବିତାଉଥିଲେ ସୁଦ୍ଧା ବୃଦ୍ଧ ଜଣଙ୍କ ନିଜ ଜୀବନ ସାଥୀର ଅଭାବ ଅନୁଭବ କରୁଥିଲେ । ତେଣୁ ସେ ନିଜ ଜୀବନ ସାଥୀ ଖୋଜିବା ପାଇଁ ଏମିତି ଏକ ପ୍ରୋଗ୍ରାମରେ ସାମିଲ ହୋଇଥିଲେ ଯାହା ଆପଣଙ୍କୁ ଚକିତ କରିବ । ବୃଦ୍ଧ ଜଣଙ୍କ ପାରା ଅଞ୍ଚଳର ବିବାହ ମଣ୍ଡପରେ ଆୟୋଜିତ ବରିଷ୍ଠ ନାଗରିକ ଜୀବନସାଥୀ ପରିଚୟ ସମ୍ମିଳନୀରେ ସାମିଲ ହୋଇଥିଲେ ଏବଂ ସବୁଠାରୁ ବଡ କଥା ହେଲା ଏହି କାର୍ଯ୍ୟକ୍ରମରେ 50ରୁ 80 ବର୍ଷ ବୟସର 90 ଜଣ ବରିଷ୍ଠ ନାଗରିକ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ 75 ଜଣ ପୁରୁଷ ଏବଂ ମାତ୍ର 15 ଜଣ ମହିଳା ଥିଲେ । ଆୟୋଜିତ ଏହି ସମ୍ମିଳନୀରେ ଯୋଗଦେଇଥିବା 90 ଜଣ ବୃଦ୍ଧ ବୃଦ୍ଧାଙ୍କ ମଧ୍ୟରୁ କିଏ ଛାଡ଼ପତ୍ର ପ୍ରାପ୍ତ ତ ଆଉ କିଏ ଅବିବାହିତ ଓ ବିଧବା । ବରିଷ୍ଠ ନାଗରିକମାନେ ପରସ୍ପରକୁ ଭେଟିଥିଲେ ଏବଂ ନିଜ ଜୀବନ ଅନୁଭୂତି ବାଣ୍ଟିଥିଲେ । ଏହି ସମ୍ମିଳନୀରେ ସାମିଲ ହୋଇଥିବା କିଛି ବରିଷ୍ଠ ନାଗରିକଙ୍କ ଜୀବନ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଉନ୍ନାଓର ଜଣେ ୬୭ ବର୍ଷୀୟ ଅବସରପ୍ରାପ୍ତ ପୋଲିସ ଅଧିକାରୀ 42 ହଜାର ଟଙ୍କା ପେନସନ ପାଆନ୍ତି । ତାଙ୍କ ଝିଅମାନଙ୍କର ବିବାହ ହୋଇସାରିଛି ଏବଂ ଲକ୍ଷ୍ନୌରେ ତାଙ୍କର ନିଜ ଘର ମଧ୍ୟ ଅଛି, ତଥାପି ପରିବାରର ଅବହେଳା ଯୋଗୁଁ ସୃଷ୍ଟି ହୋଇଥିବା ଏକାକୀତ୍ୱ ତାଙ୍କ ଉପରେ ବଡ ବୋଝ ହୋଇରହିଛି । ତେଣୁ ସେ ମଧ୍ୟ ଜୀବନସାଥୀ ଖୋଜିବା ପାଇଁ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ । ସେହିପରି ଦିଲ୍ଲୀର ଜଣେ 55 ବର୍ଷୀୟା ମହିଳା, ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରାୟ 30 ବର୍ଷ ଧରି ଏକାକୀ ରହୁଛନ୍ତି । ବଡ ହେବା ପରେ ତାଙ୍କ ପୁଅମାନେ ଅଲଗା ରହିବାକୁ ଚାଲିଯାଇଥିଲେ । ବର୍ତ୍ତମାନ ଜୀବନର ଏ ଅପରାହ୍ଣରେ ସେ ଏପରି ଜଣେ ସାଥୀ ଖୋଜୁଛନ୍ତି ଯାହାଙ୍କ ସହ ସେ ସୁଖଦୁଃଖ ବାଣ୍ଟି ପାରିବେ। ସେ ଜଣେ ସାଙ୍ଗଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଅନେକ ଲୋକଙ୍କୁ ଭେଟିଥିଲେ । ଏହିଭଳି ଭାବେ ସମ୍ମିଳନୀକୁ ଆସିଥିବା ବୟସ୍କ ନାଗରିକମାନେ ନିଜ ନିଜ ସାଥି ସନ୍ଧାନରେ ଲାଗିଥିଲେ। କେହି କେହି ପରସ୍ପରକୁ ପସନ୍ଦ କରିଥିଲା ବେଳେ ଆଉ କେହି କେହି ନିରାଶ ହୋଇ ଫେରିଥିଲେ ।