ଆତ୍ମହତ୍ୟା କଲେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ । ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ କାଜୁଆଲ୍ଟି ଦ୍ୱିତୀୟ ମହଲାରେ ଥିବା କୋଭିଡ୍ ସନ୍ଦିଗ୍ଧ ୱାର୍ଡରେ ଜଣେ ଆତ୍ମହତ୍ୟା କରିଛନ୍ତି । ମୃତକ ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁର ଗ୍ରାମର ରାଜେନ୍ଦ୍ର ମୁନି (୩୮) । ସେ ବାଥ୍ରୁମ୍ ଝରକାରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବୈଦ୍ୟନାଥପୁର ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପଞ୍ଚନାମା କରିଛି । ସନ୍ଦିଗ୍ଧ ଜଣକ ଭୟରେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୁଲିସ । ବୈଦ୍ୟନାଥପୁର ଥାନାରେ କେସ୍ ନମ୍ବର ୨୪୪/୨୦୨୧ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଆଇଆଇସି ଶାରଦା ପ୍ରସନ୍ନ ଦାଶ କହିଛନ୍ତି ।ପୁଲିସ ସୂଚନା ପ୍ରକାରେ ଗତ ୧୩ ତାରିଖରୁ ରାଜେନ୍ଦ୍ର ଏମ୍କେସିଜିରେ ଭର୍ତ୍ତି ହୋଇଥିଲେ । ଶ୍ୱାସକ୍ରିୟାରେ ସମସ୍ୟା ଥିବାରୁ କୋଭିଡ୍ ସନ୍ଦେହ କରି ଡାକ୍ତର ତାଙ୍କୁ କାଜୁଆଲ୍ଟି ଉପର ମହଲା ସନ୍ଦିଗ୍ଧ ୱାର୍ଡରେ ରଖିଥିଲେ । ତାଙ୍କ ଶଳା ସଞ୍ଜୟ କୁମାର ମୁନି ଦେଖାଶୁଣା କରୁଥିଲେ । ତିନି ଦିନ ହେଲା ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା । ରବିବାର ତାଙ୍କର ଅମ୍ଲଜାନ ସ୍ତର ମଧ୍ୟ କମିଯାଇଥିଲା । ଶଳା ସଞ୍ଜୟଙ୍କ ଅଭିଯୋଗ ପ୍ରକାରେ ଅକ୍ସିଜେନ୍ ସ୍ତର ୩୫କୁ ଖସି ଆସିଥିଲା । ଏହା ଦେଖି ଅସ୍ଥିର ହେବା ସହ ଚଲାବୁଲା କରିପାରୁ ଥିଲେ ରାଜେନ୍ଦ୍ର । ଅପରାହ୍ନ ୨.୩୦ରେ ଖାଇବା ପୂର୍ବରୁ ବାଥ୍ରୁମ୍ ଯିବେ ବୋଲି କହିଥିଲେ । ୩ଟା ପର୍ଯ୍ୟନ୍ତ ନଆସିବାରୁ ସଞ୍ଜୟ ବାଥ୍ରୁମ୍କୁ ଯାଇଥିଲେ । କବାଟ ଭିତରୁ ବନ୍ଦ ଥିଲା । ସିକ୍ୟୁରିଟି ଗାର୍ଡଙ୍କୁ ଡାକି କବାଟ ବାହାର କରି ଦେଖିବା ବେଳେ ରାଜେନ୍ଦ୍ରଙ୍କ ଶବ ଝୁଲୁଥିଲା । ମେଡିକାଲ ଫାଣ୍ଡି ପୁଲିସକୁ ସୂଚନା ଦିଆଯାଇଥିଲା ।ଏଏସ୍ଆଇ ରାମକୃଷ୍ଣ ଦାଶ, ପରେ ବୈଦ୍ୟନାଥପୁର ଥାନା ଆଇଆଇସି ଶାରଦା ପ୍ରସନ୍ନ ଦାଶ ଓ ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ପହଞ୍ଚିଥିଲେ । ମାଜିଷ୍ଟ୍ରେଟ୍ ତଥା ବ୍ରହ୍ମପୁର ତହସିଲଦାରଙ୍କ ଉପସ୍ଥିତିରେ ଶବ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା