(ଆଦର୍ଶ ରାଉତ)ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବ୍ରାଉନସୁଗାର ବ୍ୟବସାୟର କେନ୍ଦ୍ରସ୍ଥଳ ପାଲଟିଛି। ଆଜି ସହିଦ ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଭିଏସଏସ ନଗର ସତସଙ୍ଗ ବିହାର ଅଂଚଳରୁ ୩୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ପୁଲିସ ଏହି ଧଳାଜହର ବ୍ୟବସାୟ ସହ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀକୁମାର ମହାନ୍ତି, ତପନ କୁମାର ସାହୁ ଓ କପିଳ ସୁନ୍ଦରା। ବ୍ରାଉନସୁଗାର ସମେତ ପୁଲିସ ନଗଦ ୪୧,୩୮୦ ଟଙ୍କା, ଟିଭିଏସ ମୋଟର ସାଇକେଲ ଓ ୪ଟି ମୋବାଇଲ ମଧ୍ୟ ଜବତ କରିଛି।
ପାଞ୍ଚ ଦିନ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦୁଇ ଜଣ ଇଂଜିନିୟର ଛାତ୍ରଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବିଡିଏ କଲୋନିର ଅମିତ୍ ସ୍ୱାଇଁ ଓ ସୁଭାଶିଷ ଜେନା। ପୁଲିସ ଦୁହିଁଙ୍କ ନିକଟରୁ ୨୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା। ସେହିଭଳି ଗତ ଏକ ସପ୍ତାହ ମଧ୍ୟରେ ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନା ପୁଲିସ ୪ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଥିବା ବେଳେ ରବିବାର ପୁଣି ୨ଜଣ ଛାତ୍ର ଗିରଫ ହୋଇଥିଲେ। ଦିନ ଥିଲା ବାଲେଶ୍ୱର ଏହି ଧଳା ଜହରର କେନ୍ଦ୍ରସ୍ଥଳ କିନ୍ତୁ ଏବେ ଭୁବନେଶ୍ୱର ପାଲଟି ଯାଇଛି ବ୍ରାଉନସୁଗାରର ହବ୍।