ନୂଆଦିଲ୍ଲୀ: ପୁଣି ପାକିସ୍ତାନ ପୋତିଲା ଯୁଦ୍ଧର ମୁଳଦୁଆ । ଗତକାଲି ପାକିସ୍ତାନର ଖାଇବର ପଖତୁନଖ୍ୱାର ପେଶାୱରରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହାର ଜବାବରେ, ପାକିସ୍ତାନୀ ସେନା ଆଫଗାନିସ୍ତାନରେ ଏକ ବଡ଼ ଆକ୍ରମଣ କରିଛି । ଏଥର, ପାକିସ୍ତାନୀ ସେନା ଆଫଗାନିସ୍ତାନ ଆବାସିକ ଅଞ୍ଚଳକୁ ଟାର୍ଗେଟ କରିଛି । କୁହାଯାଉଛି ଯେ, ପାକିସ୍ତାନର ଏହି ଆକ୍ରମଣରେ ଦଶ ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ନଅ ଜଣ ଶିଶୁ ଥିବା ନେଇ ଜଣାପଡ଼ିଛି । ଯେଉଁମାନଙ୍କର ବୟସ ୧୦ ବର୍ଷରୁ କମ୍ ବୋଲି ଜଣାପଡ଼ିଛି।

ଆଫଗାନ ତାଲିବାନ ସରକାରଙ୍କ ମୁଖପାତ୍ର ଜାବିଉଲ୍ଲାହ ମୁଜାହିଦଙ୍କ ଅନୁଯାୟୀ, ଗତକାଲି ରାତି ୧୨:୦୦ ଟାରେ (ଆଫଗାନିସ୍ତାନ ସମୟ) ଏହି ଆକ୍ରମଣ ହୋଇଥିଲା ଏବଂ ପାକିସ୍ତାନ ବାୟୁସେନା ଦ୍ୱାରା ଆଫଗାନ ପ୍ରଦେଶର ଖୋସ୍ତ, କାନ୍ଦାହାର ଏବଂ ପାକତିକାକୁ ଟାର୍ଗେଟ କରି କରାଯାଇଥିଲା। ଏଥିରେ ଦଶ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଥିଲେ। ପାକିସ୍ତାନୀ ସେନା ଅକ୍ଟୋବର ମାସରୁ ଆଫଗାନିସ୍ତାନର ଆବାସିକ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରିଆସୁଛି। ଗତ ମାସରେ ଆଫଗାନିସ୍ତାନରେ ଏକ ବିମାନ ଆକ୍ରମଣ ସମୟରେ, ପାକିସ୍ତାନୀ ସେନା ଆବାସିକ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରିଥିଲା, ଯେଉଁଥିରେ ୫୯ ଜଣ ନିରୀହ ଆଫଗାନୀଙ୍କ ମୃତ୍ୟୁ ହୋଇଥିଲା । ଯାହା ଫଳରେ ତୁର୍କୀ ଏବଂ କତାର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ହୋଇଥିଲା।