ଦିଲ୍ଲୀ ବାୟୁରେ ବିଷ ; ୩୫୦ରେ ପହଞ୍ଚିଛି ଏକ୍ୟୁଆଇ

ଦିଲ୍ଲୀ ବାୟୁରେ ବିଷ। ଅତି ଖରାପ ସ୍ଥିତିରେ ପହଞ୍ଚିଛି ଦିଲ୍ଲୀ ବାୟୁ ଗୁଣବତ୍ତା। ଦିନକୁ ଦିନ ବିଷାକ୍ତ ହେଉଛି ରାଜଧାନୀ ପବନ। ଆଜି ସକାଳୁ ଦିଲ୍ଲୀର କେତେକ ସ୍ଥାନରେ ଏକ୍ୟୁଆଇ ୩୫୦ରେ ପହଞ୍ଚିଛି। ରାସ୍ତା ଘାଟ ସବୁ ଧୂଆଁ ଧୂଆଁ। ଅକ୍ଷରଧାମ ମନ୍ଦିର ଓ ଆଇଟିଓ ଅଞ୍ଚଳରେ ଏକ୍ୟୁଆଇ ୩୪୯ ରେକର୍ଡ ହୋଇଥିବା ବେଳେ ଇଣ୍ଡିଆ ଗେଟ୍ ଓ ଜନପଥ ଅଞ୍ଚଳରେ ଏହା ୩୩୫ ରହିଛି । ଚଳିତ ଋତୁରେ ପ୍ରଥମ ଥର ଏକ୍ୟୁଆଇ ୩୦୦ ଅତିକ୍ରମ କରିଛି।

 ରବିବାର ଦିଲ୍ଲୀର ଦୈନିକ ହାରାହାରି ଏକ୍ୟୁଆଇ ୨୬୧ ରହିଥିଲା। ୨୪ ଘଣ୍ଟା ମଧ୍ୟରେ ପ୍ରଦୂଷଣର ମାତ୍ରା ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂତନ କଟକଣା ନଭେମ୍ବର ୧ ତାରିଖରୁ ଲାଗୁ ହୋଇଛି। କଟକଣାର ପ୍ରଥମ ଦିନରେ ରବିବାର ବାୟୁ ଗୁଣବତ୍ତା ଖରାପ ବର୍ଗରେ ପହଞ୍ଚିଥିଲା। ଆଉ ଆଜି ଅତି ଖରାପ ବର୍ଗରେ ପହଞ୍ଚିଛି ବାୟୁ ଗୁଣବତ୍ତା।