ସଙ୍କଟରେ ଜମ୍ମୁ ଓ କଶ୍ମୀର ସରକାର । ସମର୍ଥନ ପ୍ରତ୍ୟାହାର ଧମକ ଦେଲେ ୨୫ ବିଧାୟକ । ଦାବି ପୂରଣ ନହେଲେ ସେମାନେ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେବେ ବୋଲି ଦେଇଛନ୍ତି ୧୪ ଦିନର ଅଲ୍ଟିମେଟମ। ଫଳରେ ଚାପରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ତାଙ୍କ ବାପା ତଥା ଦଳର ସଭାପତି ଫାରୁକ ଅବଦୁଲ୍ଲା। ଓମାର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ସରକାରରେ ଆମୂଳଚୂଳ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ଏହି ୨୫ ବିଧାୟକ।
ସମସ୍ତ ମନ୍ତ୍ରୀଙ୍କୁ ବାହାର କରି ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କୁ ତୁରନ୍ତ ବାହାର କରିବାକୁ ସେମାନେ ଦାବି କରିଛନ୍ତି। ବିଦ୍ରୋହୀ ବିଧାୟକମାନେ ଦାବି କରିଛନ୍ତି ଯେ ନୂତନ ମନ୍ତ୍ରୀ ଚୟନ ବେଳେ ଦକ୍ଷତାକୁ ମାପକାଠି କରାଯାଉ ଓ ଏହି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଉ। ନୂଆ ମନ୍ତ୍ରୀ ଚୟନ କରିବା ପୂର୍ବରୁ ଦଳର ଶୀର୍ଷ ନେତୃତ୍ୱ ସମସ୍ତ ବିଧାୟକଙ୍କ ସହିତ ଆଲୋଚନା କରନ୍ତୁ। କୌଣସି ଏକ ନିର୍ଦ୍ଦିଷ୍ଟ ଗ୍ରୁପ୍ ମନ୍ତ୍ରୀ ଚୟନ କରନ୍ତୁ ନାହିଁ ବୋଲି ସେମାନେ ଦାବି କରିଛନ୍ତି।