ଭୂସ୍ଖଳନରେ ବଦଳିଗଲା ଗାଁର ଭୂଗୋଳ, ମାଟିରେ ମିଶିଗଲା ମଣିଷଙ୍କ ସୁନାର ସଂସାର

କେଉଁଠି ମାଟି ତଳେ ପୋତି ହୋଇ ରହିଛି ଘର, ତ ଆଉ କେଉଁଠି ମାଟି ଓ ପଥରର ବିଶାଳ ଗଦା ତଳେ ଚାପି ହୋଇ ରହିଛି ମଣିଷଙ୍କ ବର୍ଷ ବର୍ଷର ସ୍ୱପ୍ନ। ଯେଉଁ ଗାଁରେ ଦିନେ ହସଖୁସି, ପିଲାଙ୍କ କୋଳାହଳ ଓ ପରିବାରର ଆତ୍ମୀୟତାରେ ଜୀବନ ଚଳଚଞ୍ଚଳ ଥିଲା, ଆଜି ସେଠାରେ ଖେଳିଯାଇଛି ମୃତ୍ୟୁର ନିରବତା। କାହାର ମୁଣ୍ଡ ଉପରୁ ଛାତ ହଜିଯାଇଛି, କିଏ ସ୍ୱାମୀଙ୍କୁ ହରାଇଛି, ତ ଆଉ କିଏ ବାପା, ମାଆ ଓ ଆତ୍ମୀୟସ୍ୱଜନଙ୍କୁ ହରାଇ ଅସହାୟ ହୋଇପଡ଼ିଛି। ପ୍ରକୃତିର ଏଭଳି କରାଳ ରୂପ ଗୋଟିଏ ଗାଁର ଭୂଗୋଳ ବଦଳାଇ ଦେବା ସହ ଅନେକ ପରିବାରର ସୁନାର ସଂସାରକୁ ମାଟିରେ ମିଶାଇ ଦେଇଛି। ଆଜି ବଞ୍ଚିଯାଇଥିବା ମଣିଷଙ୍କ ଆଖିରେ ଲୁହ, ମନରେ ଅସରନ୍ତି କୋହ ଏବଂ ଆଗାମୀ ଜୀବନକୁ ନେଇ ଅସୁମାରି ଆଶଙ୍କା। କନ୍ଧମାଳ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ପରେ ସୃଷ୍ଟି ହୋଇଥିବା ଏହି ଦୃଶ୍ୟ ଯେକୌଣସି ମଣିଷର ହୃଦୟକୁ ବିଚଳିତ କରିଦେବ।ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଗତ ଅକ୍ଟୋବର ୨୮ ତାରିଖ ବିଳମ୍ବିତ ରାତିରେ ସୀମାନ୍ତବର୍ତ୍ତୀ ଜି.ଉଦୟଗିରି ବ୍ଲକ୍‌ର କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କିଲାପାଙ୍ଗା ଗ୍ରାମର ଗାଙ୍ଗୁବାଲି ପାହାଡ଼ରେ ଘଟିଥିଲା ଭୟଙ୍କର ଭୂସ୍ଖଳନ। ରାତି ପ୍ରାୟ ୩ଟା। ଘୋର ଅନ୍ଧକାର ଭିତରେ ଗାଁର ଅଧିକାଂଶ ଲୋକ ଗଭୀର ନିଦ୍ରାରେ ଥିବାବେଳେ ହଠାତ୍ ପାହାଡ଼ ଉପରୁ ମାଡ଼ି ଆସିଥିଲା ମାଟି, କାଦୁଅ, ପାଣି ଓ ବିରାଟ ବିରାଟ ପଥରର ପ୍ରଖର ସ୍ରୋତ। କିଛି ବୁଝିବା ଆଗରୁ ସବୁକିଛି ଛାରଖାର ହୋଇଯାଇଥିଲା। ନିଜ ଜୀବନ ବଞ୍ଚାଇବାକୁ ଘରୁ ବାହାରିବାର ସୁଯୋଗ ମଧ୍ୟ ପାଇନଥିଲେ ଅନେକ। ଚାହୁଁ ଚାହୁଁ ମାଟି ତଳେ ଲୀନ ହୋଇଗଲା ଘରଦ୍ୱାର, ଆସବାବପତ୍ର, ଜୀବନଜୀବିକା ଓ ପିଢ଼ି ପିଢ଼ି ଧରି ସାଇତି ରଖିଥିବା ସମ୍ପତ୍ତି।

ଏହି ବିପର୍ଯ୍ୟୟର ସବୁଠୁ ହୃଦୟବିଦାରକ ଚିତ୍ର ହେଉଛନ୍ତି ରିନିମା ମଲ୍ଲିକ। ଭୂସ୍ଖଳନର ସେହି ଅଭିଶପ୍ତ ରାତିରେ ନିଜ ଆଖି ଆଗରେ ସ୍ୱାମୀ ଓ ବାପାଙ୍କୁ ହରାଇଛନ୍ତି ସେ। ଯେଉଁ ଘରେ ଦିନେ ସ୍ୱାମୀଙ୍କ ସହ ହସଖୁସିରେ ସଂସାର ଗଢ଼ିଥିଲେ, ଆଜି ସେହି ଘରର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ। ମୁଣ୍ଡ ଉପରୁ ସ୍ୱାମୀଙ୍କ ଛାୟା ହଟିଯାଇଛି, ବାପାଙ୍କ ସ୍ନେହ ଓ ସାହାରା ସବୁଦିନ ପାଇଁ ହରାଇଛନ୍ତି। ଏଭଳି ଦାରୁଣ ଦୁଃଖ ମଧ୍ୟରେ ନିଜର ଦୁଇ କଅଁଳ ଯାଆଁଳା ଶିଶୁଙ୍କୁ ଛାତିରେ ଜାବୁଡ଼ି ଧରି ଜୀବନ ବଞ୍ଚାଇବା ପାଇଁ ଅନ୍ଧାର ରାତିରେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ ସେ। ଆଜି କୋଳରେ ଦୁଇ ଶିଶୁଙ୍କୁ ଧରି ବଞ୍ଚିବାର ସଂଘର୍ଷ କରୁଛନ୍ତି, ହେଲେ ମୁଣ୍ଡ ଉପରେ ନାହିଁ ଘର, ପାଖରେ ନାହାନ୍ତି ସ୍ୱାମୀ ଓ ବାପା। ତାଙ୍କ ଆଖିର ଲୁହ ଯେମିତି ପ୍ରତି ମୁହୂର୍ତ୍ତରେ ମନେ ପକାଇ ଦେଉଛି ଉଜୁଡ଼ିଯାଇଥିବା ଏକ ସଂସାରର କରୁଣ କାହାଣୀ। ଏବେ ଏହି ଦୁଇ ଶିଶୁଙ୍କ ଭବିଷ୍ୟତ କିଏ ସମ୍ଭାଳିବ, ମାଆର ଏକାକୀ ସଂଘର୍ଷରେ କିଏ ସାହାରା ହେବ, ତାହା ହିଁ ବଡ଼ ପ୍ରଶ୍ନ।କେବଳ ରିନିମା ନୁହନ୍ତି, ଏହି ଭୂସ୍ଖଳନରେ ବଞ୍ଚିଯାଇଥିବା ଅନ୍ୟ ପରିବାରଗୁଡ଼ିକର ଦୁଃଖ ମଧ୍ୟ ସମାନ ଭାବେ ମର୍ମନ୍ତୁଦ। ସୂଚନା ଅନୁସାରେ, ଗାଁର ପ୍ରାୟ ୧୦ ଜଣ ଲୋକ ଜୀବନ ବଞ୍ଚାଇବା ପାଇଁ ଘୋର ଅନ୍ଧକାର, ପ୍ରବଳ ବର୍ଷା ଓ ଜଙ୍ଗଲିଆ ପାହାଡ଼ିଆ ରାସ୍ତା ଦେଇ ଯିଏ ଯେମିତି ପାରିଥିଲେ ପଳାଇ ଯାଇଥିଲେ। ମୃତ୍ୟୁକୁ ଅତି ନିକଟରୁ ଦେଖିଥିବା ଏହି ଲୋକଙ୍କ ଜୀବନ ତ ବଞ୍ଚିଗଲା, କିନ୍ତୁ ନିଜ ଆଖି ଆଗରେ ଉଜୁଡ଼ିଯାଇଥିବା ଘର ଓ ହରାଇଥିବା ଆତ୍ମୀୟଙ୍କ ସ୍ମୃତି ସେମାନଙ୍କୁ ସାରା ଜୀବନ ତାଡ଼ନା ଦେବ। ଅନ୍ୟପକ୍ଷରେ, ଆହୁରି ୧୩ ଜଣ ନିଖୋଜ ଥିବା ଏବଂ ସେମାନେ ମାଟି ତଳେ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏହି ନିଖୋଜ ଲୋକଙ୍କ ସନ୍ଧାନକୁ ନେଇ ସମଗ୍ର ଅଞ୍ଚଳରେ ଉତ୍କଣ୍ଠା ଓ ଆଶଙ୍କା ଲାଗି ରହିଛି। ପ୍ରତିଟି ଉଦ୍ଧାର କାର୍ଯ୍ୟ ସହ ଆତ୍ମୀୟଙ୍କ ଆଖି ଖୋଜୁଛି ନିଜ ପରିଜନଙ୍କୁ। କେହି ଫେରିବେ ବୋଲି ଆଶା ବାନ୍ଧି ବସିଛନ୍ତି, ତ ଆଉ କେହି ଅଶ୍ରୁଳ ଆଖିରେ ଅପେକ୍ଷା କରିଛନ୍ତି ଦୁଃଖଦ ଖବରକୁ।ଭୂସ୍ଖଳନର ପ୍ରଭାବ କେବଳ ଗୋଟିଏ ଗାଁରେ ସୀମିତ ରହିନାହିଁ। ସିପାଏଯୁ, ବଲିଙ୍ଗିଆ, ମାଜୁମାହା, ଗୁଡ଼୍ରିବାଡ଼ି, ଗିଡ଼ିପାବାଲି ଓ ଟୁଡ଼ୁବାଲି ଭଳି ଅନେକ ଗାଁ ଏହି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହୋଇଛି। କେଉଁଠି ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି, ତ କେଉଁଠି ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା ଭାଙ୍ଗିପଡ଼ିଛି। ଲଗାଣ ବର୍ଷା ଓ ପାହାଡ଼ରୁ ଧସି ଆସିଥିବା ମାଟିପଥର ଅନେକ ସ୍ଥାନରେ ସାଧାରଣ ଜୀବନକୁ ଅଚଳ କରିଦେଇଛି। ଯେଉଁ ରାସ୍ତା ଦେଇ ଲୋକେ ଦୈନନ୍ଦିନ ଯାତାୟାତ କରୁଥିଲେ, ଆଜି ସେହି ରାସ୍ତାରେ ଚାଲିବା ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ିଛି। ଚାଷଜମି, ଘରବାଡ଼ି ଓ ଜୀବିକାର ଅନେକ ମାଧ୍ୟମ ନଷ୍ଟ ହୋଇଯାଇଥିବାରୁ ଲୋକଙ୍କ ଆଗରେ ଏବେ ଜୀବନ ପୁନର୍ଗଠନର ବଡ଼ ଆହ୍ୱାନ।

ଅନ୍ୟପକ୍ଷରେ, ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଓ ଲଗାଣ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ରାସ୍ତାଘାଟ ନଷ୍ଟ ହୋଇଥିବା ସହ ମାଟି ଓ କାଦୁଅର ପ୍ରଖର ସ୍ରୋତ ଉଦ୍ଧାରକାରୀ ଦଳଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଯବାନମାନେ ନିଜ ଜୀବନକୁ ବିପଦରେ ପକାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପାଣିର ପ୍ରଖର ସ୍ରୋତ, କାଦୁଅ ଓ ପଥର ମଧ୍ୟରେ ଦଉଡ଼ିର ସାହାଯ୍ୟ ନେଇ ଫସିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ସହ ନିଖୋଜଙ୍କ ସନ୍ଧାନ ଚାଲିଛି। ବୃଦ୍ଧବୃଦ୍ଧା, ମହିଳା ଓ ଶିଶୁଙ୍କୁ ସୁରକ୍ଷିତ କରିବାରେ ଉଦ୍ଧାରକାରୀ ଦଳଙ୍କ ଉଦ୍ୟମ ଜାରି ରହିଛି।ଏହି ବିପର୍ଯ୍ୟୟ ପରେ ବାସହରା ହୋଇଥିବା ପରିବାରଗୁଡ଼ିକ ପାଇଁ ଏବେ ସବୁଠୁ ବଡ଼ ଚିନ୍ତା ହେଉଛି ଆଗାମୀ ଦିନର ଜୀବନ। ଯେଉଁ ଘରେ ସେମାନେ ପିଢ଼ି ପରେ ପିଢ଼ି ରହିଆସୁଥିଲେ, ତାହା ଆଜି ମାଟି ତଳେ। ଯେଉଁ ଜମିରୁ ପରିବାର ଚଳୁଥିଲା, ସେହି ଜୀବିକାର ଆଧାର ମଧ୍ୟ ନଷ୍ଟ ହୋଇଛି। ଘର ନାହିଁ, ରୋଜଗାର ନାହିଁ, ନିଜର ବୋଲି କହିବାକୁ ଆଉ କିଛି ନାହିଁ। ବିଶେଷକରି ସ୍ୱାମୀ ଓ ପରିବାର ସଦସ୍ୟଙ୍କୁ ହରାଇଥିବା ମହିଳା, ଅନାଥ ହୋଇପଡ଼ିଥିବା ଶିଶୁ ଓ ବୃଦ୍ଧବୃଦ୍ଧାଙ୍କ ଭବିଷ୍ୟତକୁ ନେଇ ଗଭୀର ଚିନ୍ତା ଦେଖାଦେଇଛି। ଏଭଳି ଦୁଃସମୟରେ କେବଳ କିଛି ଦିନର ଖାଦ୍ୟ କିମ୍ବା ଅସ୍ଥାୟୀ ଆଶ୍ରୟ ଯଥେଷ୍ଟ ନୁହେଁ। ସେମାନଙ୍କୁ ସ୍ଥାୟୀ ଘର, ଜୀବିକାର ବ୍ୟବସ୍ଥା, ଶିକ୍ଷା, ଚିକିତ୍ସା ଓ ସୁରକ୍ଷିତ ଥଇଥାନର ଆବଶ୍ୟକତା ରହିଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଉପରେ ନଜର ରଖାଯାଇଥିବାବେଳେ ବିପନ୍ନଙ୍କୁ ସୁରକ୍ଷିତ ଆଶ୍ରୟ, ଖାଦ୍ୟ ଓ ଚିକିତ୍ସା ସହାୟତା ଯୋଗାଇଦେବା ଏବେ ପ୍ରାଥମିକତା ହୋଇଛି। ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ, କ୍ଷୟକ୍ଷତିର ସଠିକ୍‌ ଆକଳନ ଓ ପ୍ରଭାବିତ ପରିବାରଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ବିଶେଷକରି ସବୁକିଛି ହରାଇଥିବା ପରିବାରଙ୍କ ପାଇଁ ତୁରନ୍ତ ଆର୍ଥିକ ସହାୟତା ସହ ଦୀର୍ଘକାଳୀନ ପୁନର୍ବାସ ଯୋଜନା କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବି ଜୋର ଧରିଛି।ଗିଡ଼ିପାବାଲି ସମେତ ଅନ୍ୟ ପ୍ରଭାବିତ ଗାଁଗୁଡ଼ିକର ଏହି ଦୃଶ୍ୟ କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟର କାହାଣୀ ନୁହେଁ; ଏହା ଅସଂଖ୍ୟ ଭାଙ୍ଗିଯାଇଥିବା ସ୍ୱପ୍ନ, ହଜିଯାଇଥିବା ସମ୍ପର୍କ ଓ ଉଜୁଡ଼ିଯାଇଥିବା ସଂସାରର ଏକ ମର୍ମନ୍ତୁଦ ଦଲିଲ। ଗୋଟିଏ ରାତିର ବିପର୍ଯ୍ୟୟ ମଣିଷଙ୍କଠାରୁ ଛଡ଼ାଇ ନେଇଛି ଜୀବନର ସମସ୍ତ ଆଧାର। ଯେଉଁ ମାଟିରେ ସେମାନେ ନିଜ ପିଲାଙ୍କ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖିଥିଲେ, ଆଜି ସେହି ମାଟି ତଳେ ପୋତି ହୋଇ ରହିଛି ସେମାନଙ୍କ ଅତୀତ ଓ ସମ୍ପତ୍ତି। ହରାଇଥିବା ମଣିଷ ଆଉ ଫେରିବେ ନାହିଁ, ଭାଙ୍ଗିଯାଇଥିବା ସଂସାର ମଧ୍ୟ ଗୋଟିଏ ଦିନରେ ପୁଣି ଗଢ଼ି ଉଠିବ ନାହିଁ। ତଥାପି ବଞ୍ଚିଥିବା ମଣିଷଙ୍କ ମନରେ ଆଶାର ଦୀପଟିଏ ଜଳାଇ ରଖିବା ଆବଶ୍ୟକ। ପ୍ରଶ୍ନ ଉଠୁଛି, ଏହି ବାସହରା ଓ ଅସହାୟ ପରିବାରଗୁଡ଼ିକ ପୁଣି କେବେ ନୂଆ କରି ସଂସାର ଗଢ଼ିପାରିବେ? ମାଟି ତଳେ ହଜିଯାଇଥିବା ସେମାନଙ୍କ ସ୍ୱପ୍ନକୁ ପୁଣି କିଏ ଫେରାଇ ଆଣିବ? ଏବେ ସମୟ ଆସିଛି କେବଳ ସମବେଦନା ନୁହେଁ, ବରଂ ପ୍ରଭାବିତ ପରିବାରଙ୍କୁ ସମ୍ମାନଜନକ ଓ ସୁରକ୍ଷିତ ଜୀବନ ଦେବା ପାଇଁ ଦୃଢ଼ ପଦକ୍ଷେପ ନେବାର।