ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ୍, ଜଣେ ମୃତ ଓ ଜଣେ ଗୁରୁତର

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସଂଘାପଶି ଗାଁ ନିକଟରେ ଏଇ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ହେଲେ ଚଡ଼େଇମରା ଗାଁର ବୁଦ୍ଧୁରାମ ତପନଙ୍କ ପୁଅ ସମଲ ତପନ । ସେହିପରି ଗୁରୁତର ଆହତ  ଯୁବକ ହେଲେ ସେହି ଗାଁର ଶମ୍ଭୁ ଘଟୁଆଳଙ୍କ ପୁଅ ମିଲୁ ଘଟୁଆଳ । ସୂଚନା ଅନୁଯାୟୀ, ଉଭୟ ଯୁବକ ଆଜି କୌଣସି କାମରେ ଯାଇ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଦିନ ୧.୩୦ ସମୟରେ ସଂଘାପଶି ଗାଁ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା ।

ଫଳରେ ସମଲ ତପନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା  । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ମିଲୁ ଘଟୁଆଳଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ  ଛତାବର୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ କୁଣ୍ଢେଇଗୋଳା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ଏହି ଘଟଣାକୁ ନେଇ ଚଡ଼େଇମରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।