ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। ନଭେମ୍ବରରେ ଖେଳାଯିବାକୁ ଥିବା ଏହି ସିରିଜ୍ରେ ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ। ତେବେ ଦଳ ଘୋଷଣା ପରେ ଚର୍ଚ୍ଚାରେ ରହିଛି ଅଷ୍ଟ୍ରେଲିଆର ବୋଲିଂ ବିଭାଗ। ଅଭିଜ୍ଞ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋସ୍ ହେଜଲଉଡ୍ଙ୍କୁ ଉଭୟ ସ୍କ୍ୱାଡ୍ରୁ ବାଦ୍ ଦିଆଯାଇଛି। ଆଗାମୀ ନ୍ୟୁଜିଲାଣ୍ଡ ଓ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଏହି ତିନି ଖେଳାଳି ପ୍ରସ୍ତୁତି କରିବେ।

ଅନ୍ୟପଟେ ଯୁବ ଖେଳାଳିଙ୍କ ଉପରେ ଭରସା କରିଛି ଅଷ୍ଟ୍ରେଲିଆ। ଅଣ୍ଡର-୧୯ କ୍ରିକେଟ୍ରେ ଦମ୍ଦାର ପ୍ରଦର୍ଶନ କରିଥିବା ମହଲି ବିୟର୍ଡମ୍ୟାନ୍ ଓ ଓଲିଭର ପିକ୍ଙ୍କୁ ଦିନିକିଆ ଦଳରେ ସୁଯୋଗ ମିଳିଛି। ତେବେ ନାଥନ୍ ଏଲିସ୍ ଦିନିକିଆ ଦଳରେ ସ୍ଥାନ ପାଇନଥିବା ବେଳେ ଟି-୨୦ ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରିବେ।

ସେହିପରି ଟି-୨୦ ଦଳରେ ଭାରତୀୟ ବଂଶୋଦ୍ଭବ ନିଖିଲ ଚୌଧୁରୀଙ୍କୁ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ପାଇଁ ଏଯାଏଁ ୩ଟି ଟି-୨୦ ମ୍ୟାଚ୍ ଖେଳି ସେ ୨ଟି ୱିକେଟ୍ ନେବା ସହ ୨୬ ରନ୍ କରିଛନ୍ତି। ତାଙ୍କ ବ୍ୟତୀତ ଲିଆମ୍ ସ୍କଟ୍, ଜ୍ୟାକ୍ ଏଡୱାର୍ଡସ, ଜୋଏଲ୍ ଡେଭିସ୍, ଲଚଲାନ ଶ’ ଓ ସାମ୍ ହାର୍ପରଙ୍କ ଭଳି ନୂଆ ମୁହଁଙ୍କୁ ମଧ୍ୟ ଟି-୨୦ ଦଳରେ ସ୍ଥାନ ମିଳିଛି। ତେବେ ଅଭିଜ୍ଞ ଖେଳାଳିଙ୍କୁ ବିଶ୍ରାମ ଦେଇ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିବା ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ କିଭଳି ପ୍ରଦର୍ଶନ କରୁଛି, ତାହା ଉପରେ ରହିବ କ୍ରିକେଟ୍ ପ୍ରେମୀଙ୍କ ନଜର।