( ଓଡିଶା) : ଚାଲିଗଲେ ଓଡିଶାର ପୂର୍ବତନ ଶିକ୍ଷାମନ୍ତ୍ରୀ ଯଦୁନାଥ ଦାସମହାପାତ୍ର । ତାଙ୍କୁ ମୃତ୍ୟୁ ବେଳକୁ ୯୦ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିଲା।
ବାଲେଶ୍ୱର ନୟାବଜାରରେ ୧୯୨୯ ମାର୍ଚ୍ଚ ୧ରେ ଜନ୍ମଲାଭ କରିଥିବା ଯଦୁନାଥ ଦାସମହାପାତ୍ର ଥିଲେ ସ୍ୱର୍ଗତ ରବି ନାରାୟଣ ଦାସମହାପାତ୍ରଙ୍କ ପୁତ୍ର। ସେ ଲକ୍ଷ୍ମୀପ୍ରିୟା ଦାସଙ୍କୁ ବିବାହ କରିଥିଲେ। ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ। କାଲକାଟା ଉତ୍କଳ ଛାତ୍ର ସଂଘର ସଭାପତି ହେବା ପରେ ସେ ୧୯୬୨ରେ କଂଗ୍ରେସରେ ଯୋଗ ଦେଇଥିଲେ। ପରେ ସେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ହୋଇଥିଲେ। ୧୯୬୪-୬୭ ବାଲେଶ୍ୱର ଜିଲ୍ଲା କଂଗ୍ରେସର ସଭାପତି ହୋଇଥିଲେ। ସେ ବିଧାୟକ ଭାବେ ଏକାଧିକ ବାର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୧୯୭୨ରୁ ୧୯୭୬ ଏବଂ ୧୯୮୫ରୁ ୧୯୮୯ ପର୍ୟ୍ୟନ୍ତ ଓଡ଼ିଶାର ଅର୍ଥ, ଶିକ୍ଷା, ପର୍ୟ୍ୟଟନ ଓ କ୍ରୀଡ଼ା ମନ୍ତ୍ରୀ ଥିଲେ।