(ରିପୋର୍ଟସ ଟୁଡ଼େ)କଟକ: ଏବେ ବେସରକାରୀ ହସ୍ପିଟାଲ ରେ ଗରିବଙ୍କୁ ମିଳିବ ମାଗଣା ଚିକିତ୍ସା । ଏଣିକି ସରକାରଙ୍କ ଠାରୁ କମ୍ ମୂଲ୍ୟରେ କିମ୍ବା ମାଗଣାରେ ଜମି ନେଇଥିବା ବେସରକାରୀ ହସ୍ପିଟାଲ ଓ ନର୍ସିଂହୋମ ଗୁଡିକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରୋଗୀମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ଏହାର ତଥ୍ୟ ରାଜ୍ୟସରକାରଙ୍କୁ ପ୍ରତି ମାସରେ ଦେବେ। ଏହା ବାଦ ତଥ୍ୟକୁ ଅନ୍ଲାଇନରେ ମଧ୍ୟ ଉପଲବ୍ଧ କରାଇବେ। ଏଥିରେ ଖିଲାପ କଲେ ସମ୍ପୃକ୍ତ ବେସରକାରୀ ହସ୍ପିଟାଲ ଓ ନର୍ସିଂହୋମ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବା ସହ ସରକାର ଦେଇଥିବା ଜମିର ବର୍ତମାନର ବଜାର ମୂଲ୍ୟ ଆଦାୟ କରାଯିବ। ଏ ସମ୍ପର୍କିତ ଗେଜେଟ ବିଜ୍ଞପ୍ତି ଖୁବଶୀଘ୍ର ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଏବଂ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।