ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରାଯାଇଛି । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ୨୫ ଫୁଟ ଲମ୍ବର ଏକ ବିଶାଳ ବାଲୁକା କଳାକୃତି ନିର୍ମାଣ କରିଛନ୍ତି । ଏହି କଳାକୃତିରେ ଆଶୀର୍ବାଦ କା ଦିୟା – ୨୫ ବର୍ଷର ସେବା – ଜନ୍ମଦିନର ଶୁଭେଚ୍ଛା ମୋଦୀ ଜୀ” ବାର୍ତ୍ତା ସ୍ଥାନ ପାଇଛି । କଳାକୃତିକୁ ଆକର୍ଷଣୀୟ କରିବା ପାଇଁ ୨୫୦୦ ଦୀପ ବ୍ୟବହାର କରାଯାଇଛି, ଯାହା ଆଲୋକ, ଆଶୀର୍ବାଦ ଏବଂ ଶୁଭକାମନାର ପ୍ରତୀକ ଭାବେ ସଜାଯାଇଛି । ୨୫ ଫୁଟ ଲମ୍ବର ଏହି କଳାକୃତି ୨୫ ବର୍ଷର ଜନସେବାକୁ ପ୍ରତିନିଧିତ୍ୱ କରୁଥିବା ବେଳେ ୨୫୦୦ ଦୀପ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦେଶବାସୀଙ୍କ ପ୍ରାର୍ଥନା ଓ ଶୁଭେଚ୍ଛାର ପ୍ରତୀକ ଅଟେ । ବାଲୁକା କଳାରେ ତ୍ରିରଙ୍ଗା ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରାଯାଇଛି । ହଜାର ହଜାର ଦୀପର ଆଲୋକରେ ଏହି କଳାକୃତି ବେଳାଭୂମିରେ ଏକ ମନୋହର ଦୃଶ୍ୟ ସୃଷ୍ଟି କରିଥିଲା । ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି ।