ଓଡ଼ିଶାରେ ସକ୍ରିୟ ହେଉଛି ମୌସୁମୀ । ସାରା ରାଜ୍ୟରେ ବଦଳିଛି ପାଗର ମିଜାଜ । ମେଘୁଆ ଆକାଶ ସାଙ୍ଗକୁ ଝିପିଝିପି ବର୍ଷାରେ ଭିଜୁଛି ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା । ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସତର୍କତା ଜାରି କରାଯାଇଛି। ବିଶେଷ କରି ଟୁଇନ୍ ସିଟି ଭୁବନେଶ୍ୱର ଓ କଟକରେ ସକାଳୁ ଲାଗି ରହିଛି ମୌସୁମୀ ବର୍ଷା ଲଗାତାର ବର୍ଷା ଯୋଗୁଁ ପ୍ରବଳ ଗରମ ଓ ଅସହ୍ୟ ଗୁଳୁଗୁଳିରୁ ମିଳିଛି ବଡ଼ ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ସବୁଆଡ଼େ ମୌସୁମୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଜାରି ହୋଇଥିବା ସତର୍କତା ଅନୁଯାୟୀ, ଆଗାମୀ ଗୋଟିଏରୁ ଦୁଇ ଘଣ୍ଟା ମଧ୍ୟରେ କଟକ ଜିଲ୍ଲା (କଟକ ସହର ସମେତ) ଏବଂ ଖୋର୍ଦ୍ଧା ଜିଲ୍ଲା (ଭୁବନେଶ୍ୱର ସହର ସମେତ) ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଧିକ।
/sambad-english/media/post_attachments/wp-content/uploads/2019/11/heavy-rain.jpg)
ସକାଳୁ ଆକାଶ ଘନ କଳା ମେଘରେ ଢାଙ୍କି ରହିଥିବାବେଳେ ଝିପିଝିପି ବର୍ଷାରେ ରାସ୍ତାଘାଟ ଭିଜିଯାଇଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜର ବିଚ୍ଛିନ୍ନ ସ୍ଥାନରେ ୫୦-୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର ବଜ୍ରପାତ, ବିଜୁଳି ଏବଂ ବର୍ଷା ହେବାର ସମ୍ଭାବନା ବହୁତ ଅଧିକ ବୋଲି ପାଣିପାଗ ବିଭାଗ ସୁଚନା ଦେଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ଆର୍ଦ୍ର ଏବଂ ଅସ୍ଥିର ବାୟୁମଣ୍ଡଳୀୟ ପରିସ୍ଥିତି ଜାରି ରହିଥିବା ସୂଚିତ କରି, ଆଜି ଯମଜ ସହର ଏବଂ ଆଖପାଖ ଅଞ୍ଚଳ ପାଇଁ IMD ଦ୍ୱାରା ଜାରି ଦ୍ୱିତୀୟ ପାଣିପାଗ ସତର୍କତା।