ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ଗୃହର କାର୍ଯ୍ୟ ସୁରୁଖୁରୁରେ ପରିଚାଳନା କରିବା ଲାଗି ବିରୋଧୀ ଓ ଶାସକ ଦଳର ସଦସ୍ୟମାନଙ୍କ ସହଯୋଗ ଲୋଡ଼ିବା ଉଦ୍ଦେଶ୍ୟରେ ବାଚସ୍ପତି ସୁରମା ପାଢ଼ୀ ସୋମବାର ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି।

ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପୂର୍ବରୁ ଏହି ବୈଠକ ଆୟୋଜନ କରାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳର ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳର ନେତା ଏବଂ ବିଭିନ୍ନ ଦଳର ସଚେତକମାନେ ଯୋଗଦେବାର ସମ୍ଭାବନା ରହିଛି।

ବିଧାନସଭା ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକାଂଶ ଦିନ ସରକାରୀ କାର୍ଯ୍ୟ ପାଇଁ ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୨୫ (ଶୁକ୍ରବାର) ଦିନକୁ ‘ବେସରକାରୀ ସଦସ୍ୟଙ୍କ କାର୍ଯ୍ୟ’ (Private Members’ Business) ପାଇଁ ସ୍ୱତନ୍ତ୍ର ଭାବେ ରଖାଯାଇଛି। ଯେଉଁଥିରେ ବିଲ୍ ଏବଂ ସଂକଳ୍ପ ଆଦି ଅନ୍ତର୍ଭୁକ୍ତ ରହିବ।