ପଶ୍ଚିମବଙ୍ଗ ରାଜନୀତିରେ ଆଲୋଡନ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ଅତି ନିକଟତର ସହଯୋଗୀ ତଥା ପୂର୍ବତନ ବାୟୁସେନା କର୍ମଚାରୀ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ହାଇ-ପ୍ରୋଫାଇଲ୍ ମାମଲାରେ ପୋଲିସ ଉତ୍ତରପ୍ରଦେଶ ଏବଂ ବିହାରର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପଶ୍ଚିମବଙ୍ଗ ନିର୍ବାଚନର କିଛି ଦିନ ପରେ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରାଯିବା ପରେ ପୂରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଶାସକ ଦଳ ଟିଏମସି ଏବଂ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଥିଲା । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଉପରେ ପ୍ରବଳ ଚାପ ରହିଥିଲା । ଶେଷରେ ଟେକ୍ନିକାଲ୍ ସର୍ଭେଲାନ୍ସ ଏବଂ ଗୁଇନ୍ଦା ସୂଚନା ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଲଗାତାର ଛାନଭିନ୍ ଆରମ୍ଭ କରିଥିଲା ଆଉ ରାଜ୍ୟ ବାହାରେ ଡେରା ପକାଇଥିଲା । ଏହି ସମୟରେ ଜଣେ ଅପରାଧୀର ଗୋଟିଏ ‘ଡିଜିଟାଲ୍ ଭୁଲ୍’ ପୋଲିସ ଟିମ୍ ପାଇଁ ବରଦାନ ସାଜିଥିଲା । ପୋଲିସ ଟିମ୍ ଲଗାତାର ଚଢ଼ାଉ କରି ପଡ଼ୋଶୀ ରାଜ୍ୟ ବିହାର ଏବଂ ଉତ୍ତରପ୍ରଦେଶରୁ ୩ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି । ଗିରଫଦାରୀକୁ ଏଡ଼ାଇବା ପାଇଁ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲେ । ପୋଲିସର ମାରାଥନ୍ ଜେରା ପରେ ହିଁ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ପଛର ପ୍ରକୃତ ମାଷ୍ଟରମାଇଣ୍ଡର ଚେହେରା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

ତେବେ ହେପାଜତକୁ ନିଆଯାଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହେଉଛି ରାଜ ସିଂ । ସୂଚନା ଅନୁଯାୟୀ, ରାଜ ସିଂ ମୂଳତଃ ବଲିଆର ବାସିନ୍ଦା ହୋଇଥିବା ବେଳେ ସେ ବିହାରର ବକ୍ସର ଅଞ୍ଚଳରେ ରହୁଥିଲା । ହତ୍ୟାକାଣ୍ଡ ପରେ ସେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆତ୍ମଗୋପନ କରିଥିଲା । କୋଲକାତା ପୋଲିସ ଏବଂ ଅଯୋଧ୍ୟା ପୋଲିସର ଏକ ମିଳିତ ଅପରେସନରେ ତାକୁ କାବୁ କରାଯାଇ କୋଲକାତା ଅଣାଯାଇଛି । ଏହି ପେସାଦାର ହତ୍ୟାକାଣ୍ଡର ତଦନ୍ତ କରୁଥିବା ବେଳେ ପୋଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା । ହତ୍ୟା ପୂର୍ବରୁ ଅପରାଧୀମାନେ ବ୍ୟବହାର କରୁଥିବା କାର୍ ଯେତେବେଳେ କୋଲକାତାର ବାଲି ଟୋଲ୍ ପ୍ଲାଜା ଅତିକ୍ରମ କରିଥିଲା, ସେଠାରେ ସେମାନେ ନଗଦ ଟଙ୍କା କିମ୍ବା ଫାସଟ୍ୟାଗ୍ ବଦଳରେ UPI ମାଧ୍ୟମରେ ଟୋଲ୍ ଦେୟ ପୈଠ କରିଥିଲେ । ଏହି ଗୋଟିଏ ଡିଜିଟାଲ୍ ଟ୍ରାଞ୍ଜାକସନ୍ ପୋଲିସକୁ ହତ୍ୟାକାରୀଙ୍କ ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ୍ ଡିଟେଲ୍ସ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲା । ରାଜ ସିଂ ବ୍ୟତୀତ ମୟଙ୍କ ମିଶ୍ର ଏବଂ ଭିକି ମୌର୍ଯ୍ୟ ନାମକ ଆଉ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ବକ୍ସରରୁ ଗିରଫ କରିଛି ।
