ମୋବାଇଲ ଟାୱାରରେ ଚଢି ହାତରେ ପେଟ୍ରୋଲ ଓ ଦିଆସିଲ ଧରି ଧମକ ଦେଉଛି ଯୁବକ । ମୋତେ ମୋ ଚାକିରି ଫେରାଅ, କହି ମୋବାଇଲ ଟାୱାର ଉପରେ ଚଢି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ଯୁବକ । ଖବର ପାଇ ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ ଉଦ୍ଧାର ପାଇଁ ଚେଷ୍ଟା କଲେ ସେ ଆତ୍ମହୁତି ଦେବେ ବୋଲି ଧମକ ଦେଉଛନ୍ତି ।

ଢେଙ୍କାନାଳ ଜିଲ୍ଲାର ତୁମୁସୀଙ୍ଗ ଥାନା ଅନ୍ତର୍ଗତ ସୋଗର ଗ୍ରାମର ଯୁବକ ରୁଦ୍ର ନାରାୟଣ ଦାସ । ଟାଉନ ଥାନା ନିକଟରେ ଥିବା ମୋବାଇଲ ଟାୱାରରେ ଚଢି ଯୁବକ ଜଣଙ୍କ ନିଜ ଦାବି ସମ୍ପର୍କରେ ଚିଠି ଦରଖାସ୍ତ ଲେଖି ଅଗ୍ନିଶମ ଅଧିକାରୀଙ୍କୁ ଦେଇଛି । ରୁଦ୍ରଙ୍କର କହିବା କଥା ଯେ ୨୦୧୮ ମସିହାରେ ସେ ଓଏସପି ୧ ବାଟାଲିୟନରେ ଯବାନ ରୂପେ ଯୋଗ ଦେଇଥିଲେ । ଟ୍ରେନିଂ ସମୟରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବିଶ୍ରାମ ପାଇଁ ପଠାଇ ଦେଇଥିଲେ ଡାକ୍ତର । ସେ ସୁସ୍ଥ ହୋଇ ଫେରିଲା ପରେ ତାଙ୍କ ଚାକିରିରୁ ବହିଷ୍କୃତ କରି ଦିଆଯାଇଥିବା ସେ ଅଭିଯୋଗ କରୁଛନ୍ତି । ଘରେ ମା’ କର୍କଟ ରୋଗରେ ପୀଡିତ ଓ ଆର୍ଥିକ ଅନଟନ । ଏ ସମ୍ପର୍କରେ ପୋଲିସ ଡିଜି, ଏସପି ,ଜିଲ୍ଲାପାଳ ଓ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସେ ଗୁହାରି କରିଥିଲେ । ତାପରେ ବି ତାଙ୍କ ସମସ୍ୟା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି । ତାଙ୍କୁ ପୁଣି ଚାକିରୀ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।
