ଆସନ୍ତା କାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। କାଲିଠାରୁ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ବେଳେ ଅଳ୍ପ କିଛି ସ୍ଥାନରେ କୁଆପଥର ବୃଷ୍ଟିର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ଝଟକା ପବନର ବେଗ ୪୦ରୁ ୫୦ କିମି ପ୍ରତି ଘଣ୍ଟା ରହିପାରେ ବୋଲି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୁଚନା ଦେଇଛନ୍ତି।
ସେପଟେ ରାଜ୍ୟରେ ଉପରମୁହାଁ ପାରଦ।ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳ ରେ ଗୁଳୁଗୁଳି ।ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ହିଟ ୱେଭ ଜାରି। ରାଜ୍ୟର ପ୍ରାୟ ୨୫ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାରଦ ଆହୁରି ୨ ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟ ଉପରେ ରହିଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର କିଛି କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଯାଇଛି। ଫଳରେ ଏହି ସବୁ ଅଞ୍ଚଳରେ ତାପମାତ୍ରା କିଛି କିଛି କମ୍ ରହିଥିଲା । ହେଲେ ଅବଶିଷ୍ଟ ଓଡ଼ିଶାରେ ପ୍ରବଳ ଖରା ସହ ଗରମ ଆରମ୍ଭ ହୋଇଯାଇଛି।