କ୍ରିକେଟ୍ ପଡ଼ିଆରେ ଖେଳାଳିଙ୍କ ପ୍ରଦର୍ଶନ ନୁହେଁ, ବରଂ ବୋର୍ଡର ଆଭ୍ୟନ୍ତରୀଣ ବିବାଦକୁ ନେଇ ଏବେ ଚର୍ଚ୍ଚାରେ ମେଘାଳୟ କ୍ରିକେଟ୍। ଅରୁଣାଚଳ ପ୍ରଦେଶ ପରେ ଏବେ ମେଘାଳୟ କ୍ରିକେଟ୍ ଆସୋସିଏସନ୍ରେ ଦେଖାଦେଇଛି ବଡ଼ ବିବାଦ। ନାଗାଲାଣ୍ଡ ବିପକ୍ଷ ରଣଜୀ ଟ୍ରଫି ପ୍ଲେଟ୍ ଗ୍ରୁପ୍ ମ୍ୟାଚ୍ର ଠିକ୍ ଦିନକ ପୂର୍ବରୁ ସମ୍ପୂର୍ଣ୍ଣ ଦଳକୁ ବଦଳାଇ ଦିଆଯାଇଛି। ପୁରୁଣା ଦଳକୁ ବାଦ୍ ଦେଇ ରାତାରାତି ନୂଆ ଦଳକୁ ପଡ଼ିଆକୁ ଓହ୍ଲାଇଛି ବୋର୍ଡ।
ମେଘାଳୟ କ୍ରିକେଟ୍ ଆସୋସିଏସନ୍ର ଆପେକ୍ସ କାଉନସିଲ୍ ପ୍ରାରମ୍ଭିକ ତିନିଟି ମ୍ୟାଚ୍ ପାଇଁ ଦଳ ଚୟନ କରିଥିଲା। କିନ୍ତୁ ଆସୋସିଏସନ୍ ସଭାପତି ଜେମ୍ସ ସାଙ୍ଗମା ଏବଂ ଆପେକ୍ସ କାଉନସିଲ୍ ମଧ୍ୟରେ ବିବାଦ ତୀବ୍ର ହୋଇଥିଲା। ସମ୍ପାଦକ ରେନଲ୍ଡ ଖରକାମନୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ଚାପି ଦେବା ଆରୋପ ଏବଂ ତାଙ୍କ ନିଲମ୍ବନକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା।
ଏହାରି ଭିତରେ ହାଇକୋର୍ଟଙ୍କ ରାୟ ଜେମ୍ସ ସାଙ୍ଗମାଙ୍କ ସପକ୍ଷରେ ଯାଇଥିଲା। କୋର୍ଟ ସମ୍ପାଦକଙ୍କ ନିଲମ୍ବନକୁ କାଏମ ରଖିବା ସହ ତାଙ୍କ କାର୍ଯ୍ୟକାଳରେ ଗୃହୀତ ପ୍ରସ୍ତାବଗୁଡ଼ିକୁ ଅବୈଧ ଘୋଷଣା କରିଥିଲେ। ଏହାପରେ ସାଙ୍ଗମା ଗୋଷ୍ଠୀ ପକ୍ଷରୁ ନୂଆ ଦଳ ଚୟନ କରାଯାଇଥିଲା।
ତେବେ ଏହି ବିବାଦର ପ୍ରଭାବ ପଡ଼ିଥିଲା ଖେଳାଳିଙ୍କ ଉପରେ। ପୁରୁଣା ଦଳ ଅଭ୍ୟାସ ଶେଷ କରିବା ସହ ମ୍ୟାଚ୍ ରେଫରିଙ୍କ ସହ ବୈଠକ ମଧ୍ୟ କରିଥିଲା। ବିସିସିଆଇର ଅନୁମତି ମିଳିଲେ ଖେଳିପାରିବେ ବୋଲି ରେଫରି ଆଶ୍ୱାସନା ଦେଇଥିଲେ। କିନ୍ତୁ ପରେ ହଠାତ୍ ଖେଳାଳିଙ୍କ ପାଖକୁ ଫୋନ୍ ଆସିଥିଲା। ହାଇକୋର୍ଟଙ୍କ ରାୟ ଅନୁସାରେ ସେମାନଙ୍କ ଦଳ ଅବୈଧ ହୋଇଥିବାରୁ ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ଜଣାଇ ଦିଆଯାଇଥିଲା।
ଏପରିକି ଦଳର ମ୍ୟାନେଜରଙ୍କୁ ଧମକ ଦିଆଯାଇଥିବା ନେଇ ଖେଳାଳିମାନେ ଅଭିଯୋଗ କରିଛନ୍ତି। ଅଧିନାୟକ ମଧ୍ୟ ଏନେଇ ମ୍ୟାଚ୍ ରେଫରିଙ୍କୁ ଜଣାଇଥିଲେ। ଘଟଣା ଏତେ ଗମ୍ଭୀର ହୋଇଥିଲା ଯେ ରେଫରିଙ୍କୁ ମଧ୍ୟ ନିଜ ହୋଟେଲ୍ ବଦଳାଇବାକୁ ପଡ଼ିଥିଲା।
ସବୁଠାରୁ ଆଶ୍ଚର୍ଯ୍ୟର କଥା, ରାତି ପ୍ରାୟ ୧୧ଟାରେ ଖେଳାଳିଙ୍କୁ ସୂଚନା ମିଳିଥିଲା ଯେ ବିସିସିଆଇର ମଞ୍ଜୁରୀ ପରେ ନୂଆ ଦଳ ପଞ୍ଜୀକୃତ ହୋଇଛି। ପରଦିନ ସକାଳେ ପୁରୁଣା ଦଳର ଖେଳାଳିମାନେ ପଡ଼ିଆରେ ପହଞ୍ଚିଥିଲେ ମଧ୍ୟ ଡ୍ରେସିଂ ରୁମ୍ରେ ତାଲା ପଡ଼ିଥିଲା। ଶେଷରେ ପୋଲିସକୁ ଡାକିବାକୁ ପଡ଼ିଥିଲା। ପରେ ଜେମ୍ସ ସାଙ୍ଗମା ଖେଳାଳିଙ୍କୁ କ୍ଷମା ମାଗିବା ପରେ ଡ୍ରେସିଂ ରୁମ୍ ଖୋଲାଯାଇଥିଲା।
କେବଳ ସିନିୟର ଦଳ ନୁହେଁ, ମେଘାଳୟର ଅଣ୍ଡର-୨୩ ଦଳରେ ମଧ୍ୟ ଅଦଳବଦଳ କରାଯାଇଛି। ସିକ୍କିମରୁ ପୂର୍ବ ଦଳକୁ ଫେରାଇ ଅଣାଯାଇ ନୂଆ ଦଳ ପଠାଯାଇଛି। ବର୍ତ୍ତମାନ ରଣଜୀ ଟ୍ରଫି ପ୍ଲେଟ୍ ଗ୍ରୁପ୍ରେ ମେଘାଳୟ ୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଦଳ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି। ଅନ୍ୟପଟେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଆପେକ୍ସ କାଉନସିଲ୍ ପ୍ରସ୍ତୁତି ଚଳାଇଛି।