ଓଡ଼ିଶାରେ IAS ସ୍ତରରେ ବଡ଼ ଅଦଳବଦଳ, ବଦଳିଲା ୪ ଅଧିକାରୀଙ୍କ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ୪ ଜଣ ବରିଷ୍ଠ IAS ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି। ଏନେଇ ନଭେମ୍ବର ୫ ତାରିଖରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସରକାରୀ ବିଜ୍ଞପ୍ତି ଜାରି ହୋଇଛି।ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା KBK ମୁଖ୍ୟ ପ୍ରଶାସକ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି (OSD) ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଗିରିଶ ଏସ୍‌.ଏନ୍‌.ଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ବଦଳି କରାଯାଇଛି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଥିବା ଅଶ୍ୱତୀ ଏସ୍‌ଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି। ଏହା ସହିତ ସେ SITI-ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱ ମଧ୍ୟ ତୁଲାଇବେ। ଏହି କ୍ରମରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ରୂପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ନଭେମ୍ବର ୫ ତାରିଖରେ ଜାରି ସରକାରୀ ବିଜ୍ଞପ୍ତି ଅନୁସାରେ ଏହି ପ୍ରଶାସନିକ ଅଦଳବଦଳ କରାଯାଇଛି।