ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇଣ୍ଡିଆନ୍ ଫୁଟବଲ୍ ଲିଗ୍

ଫୁଟବଲ୍ ରଙ୍ଗରେ ରଙ୍ଗେଇ ହେବ ଇସ୍ପାତ ସହର ରାଉରକେଲା। ମଇଦାନକୁ ଓହ୍ଲାଇବେ ଦେଶୀ ଓ ବିଦେଶୀ ଫୁଟବଲ୍ ତାରକା। ଆସନ୍ତାକାଲିଠାରୁ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ଫୁଟବଲ୍ ଲିଗ୍। ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍‌ରେ ଏହି ସର୍ବଭାରତୀୟ ଫୁଟବଲ୍ ପ୍ରତିଯୋଗିତା ଆୟୋଜିତ ହେବ। ଉଦଘାଟନୀ ମ୍ୟାଚ୍‌ରେ ସମ୍ବଲପୁରୀ ସମଲେଶ୍ୱରୀ ସ୍ପୋର୍ଟିଂ ଓ ଗୋଆର ଡେମ୍ପୋ କ୍ଲବ୍ ମଧ୍ୟରେ ହେବ କଡ଼ା ଟକ୍କର।

ରାଜ୍ୟ ସରକାର ଏବଂ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍‌ର ଆନୁକୂଲ୍ୟରେ ଆୟୋଜିତ ହେଉଛି ଏହି ଟୁର୍ଣ୍ଣାମେଣ୍ଟ। ରାଉରକେଲାକୁ ନିଜର ହୋମ୍ ଗ୍ରାଉଣ୍ଡ ଭାବେ ବାଛିଛି ସମଲେଶ୍ୱରୀ ସ୍ପୋର୍ଟିଂ। ପ୍ରଥମ ଥର ପାଇଁ ଇଣ୍ଡିଆନ୍ ଫୁଟବଲ୍ ଲିଗ୍‌ରେ ସାମିଲ ହୋଇଥିବା ଏହି ଓଡ଼ିଶା ଦଳ ନିଜ ଘରୋଇ ପଡ଼ିଆରେ ଦମ୍ ଦେଖାଇବାକୁ ପ୍ରସ୍ତୁତ।

ଏହି ପ୍ରତିଯୋଗିତାରେ ମୋଟ ୧୧ଟି ଦଳ ଭାଗ ନେଉଛନ୍ତି। ସମଲେଶ୍ୱରୀ ସ୍ପୋର୍ଟିଂ ଓ ଡେମ୍ପୋ ସ୍ପୋର୍ଟ୍ସ କ୍ଲବ୍ ସହ ରାଜସ୍ଥାନ ୟୁନାଇଟେଡ୍, ନାଗାଲାଣ୍ଡ ୟୁନାଇଟେଡ୍, ବେଙ୍ଗାଲୁରୁ ୟୁନାଇଟେଡ୍, ରିୟଲ କାଶ୍ମୀର, ଗୋକୁଳମ କେରଳ, ମହମ୍ମଡାନ୍ ସ୍ପୋର୍ଟିଂ, ଚନମାରି, ଶ୍ରୀନିଧି ଡେକାନ୍ ଏବଂ ସିଲଂ କ୍ଲବ୍ ଏହି ଲିଗ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିବେ। ଆସନ୍ତାକାଲିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ ଏହି ପ୍ରତିଯୋଗିତା।

ତେବେ ଏହି ଲିଗ୍‌ର ବିଜେତା ଦଳ ପାଇଁ ରହିଛି ବଡ଼ ପୁରସ୍କାର। ପ୍ରଥମ ସ୍ଥାନ ହାସଲ କରୁଥିବା ଦଳ ସିଧାସଳଖ ଇଣ୍ଡିଆନ୍ ସୁପର ଲିଗ୍‌ରେ ଖେଳିବାର ସୁଯୋଗ ପାଇବ। ଆଉ ଏହି ପ୍ରତିଯୋଗିତାର ଆକର୍ଷଣ ବଢ଼ାଇବାକୁ ଦେଶର ବିଭିନ୍ନ ରାଜ୍ୟ ସହ ବିଦେଶରୁ ମଧ୍ୟ ଖେଳାଳି ଆସିଛନ୍ତି। ମରୋକ୍କୋ, ଘାନା, ଆମେରିକା, ଆର୍ଜେଣ୍ଟିନା, ଫ୍ରାନ୍ସ, ସ୍ପେନ୍ ଓ ଇଂଲଣ୍ଡର ଖେଳାଳିଙ୍କ ଉପସ୍ଥିତି ଏହି ଲିଗ୍‌କୁ ଆହୁରି ରୋମାଞ୍ଚକର କରିବ।