Bhubaneswar: ରାଜ୍ୟସଭା ନିର୍ବାଚନ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଓଡିଶା ବିଧାନସଭାର କାର୍ଯ୍ୟକଳାପ ଚାଲିବ ନାହିଁ। ସେହିଦିନ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବାକୁ ଥିବାରୁ ବିଧାନସଭାକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଏନେଇ ବିଧାନସଭାର ବାଚସ୍ପତି ସୁରମା ପାଢ଼ି ମାର୍ଚ୍ଚ ୧୬ରେ ଗୃହକୁ ମୁଲତବୀ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ମୁଲତବୀ ହେତୁ ମାର୍ଚ୍ଚ ୧୬ ତାରିଖରେ ଗୃହରେ ଆଲୋଚନା ହେବାକୁ ଥିବା ପ୍ରଶ୍ନଗୁଡିକର ଉତ୍ତର ମାର୍ଚ୍ଚ ୧୭ ତାରିଖ (ମଙ୍ଗଳବାର) ଦିନ ଗୃହରେ ଉପସ୍ଥାପିତ ହେବ ବୋଲି ଧରାଯିବ। ଏହା ସହିତ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସମ୍ବନ୍ଧୀୟ ଅନୁଦାନ ଦାବି, ଯାହା ସୋମବାର ଆଲୋଚନା ଓ ଭୋଟିଂ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିଲା, ତାହାକୁ ମାର୍ଚ୍ଚ ୨୦ ତାରିଖକୁ ପୁନଃନିର୍ଦ୍ଧାରଣ କରାଯାଇଛି।ସେପଟେ ବିଧାନସଭା କାର୍ଯ୍ୟାଳୟ ଶନିବାର ଓ ରବିବାର ସାଧାରଣ ଭାବରେ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।