ରାଉରକେଲା ବିମାନ କ୍ରାସ୍‌ର ଛାତିଥରା କହାଣୀ କହିଲେ ଉଦ୍ଧାର ଯାତ୍ରୀ

ରାଉରକେଲା: ରାଉରକେଲା ବିମାନ କ୍ରାସ୍‌ର ଛାତିଥରା କହାଣୀ କହିଲେ ଉଦ୍ଧାର ଯାତ୍ରୀ । ମୁମ୍ବାଇରୁ ଚିକିତ୍ସିତ ହୋଇ ଫେରିବା ପରେ ସୁନିଲ ଅଗ୍ରୱାଲଙ୍କ ପ୍ରତିକ୍ରିୟା । ପାଇଲଟ୍‌ ବହୁତ ଚେଷ୍ଟା କରିଥିବାରୁ ଆମେ ବଞ୍ଚିଗଲୁ । ଅବତରଣର ୧୦ କିମି ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିଲା । ଆଗ ପାହାଡ଼ ଆସିଲା, ପାଇଲଟ୍‌ ପାର କରାଇ ନେଲେ । ତାପରେ ବ୍ରାହ୍ମଣୀ ନଦୀ ଆସିଲା ତାହାକୁ ପାର୍‌ କରାଇ ନେଲେ । ତାପରେ ଫିଲ୍ଡ ଖୋଜିଲେ କେଉଁଠି କ୍ରାସ୍‌ କରାଇବେ । ଗାଁ ପାଖ ଫିଲ୍ଡ ଖୋଜି କ୍ରାସ୍‌ କରାଇଲେ ପାଇଲଟ୍‌ ବୋଲି କହିଛନ୍ତି ଉଦ୍ଧାର ଯାତ୍ରୀ ।

ସେ ଆହୁରି କହିଛନ୍ତି, ପାଖରେ ଟ୍ରାନ୍ସଫର୍ମର ଥିଲା, ତାହାକୁ ବି ପାର୍‌ କରାଇ ଦେଲେ । ଶେଷରେ ପଡ଼ିଆରେ କ୍ରାସ ହେଲା । ଗାଁ ଲୋକେ ପ୍ରଥମେ ଆସି ଆମକୁ ବାହାର କରିଦେଲେ । ୫ ମିନିଟ୍‌ ଭିତରେ ପ୍ରଶାସନ ପହଞ୍ଚିବାରୁ ଆମେ ବଞ୍ଚିଗଲୁ । ସେଥିପାଇଁ ରାଜ୍ୟ ସରକାରଙ୍କ ତତ୍ପରତାକୁ ଧନ୍ୟବାଦ ଜଣାଉଛୁ । ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭାବେ ଘଟଣାକୁ ଅନୁଧ୍ୟାନ କରିଥିବାରୁ କୃତଜ୍ଞତା । ପାଇଲଟ ନିଜ ଜୀବନକୁ ବିପଦରେ ପକାଇ ଆମ ଜୀବନ ବଞ୍ଚାଇଛନ୍ତି । ପାଇଲଟ ଆମ ଜୀବନ ବଞ୍ଚାଇଥିବାରୁ ତାଙ୍କୁ ସମ୍ମାନିତ କରିବୁ ବୋଲି କହିଛନ୍ତି ସୁନିଲ ଅଗ୍ରୱାଲ୍ ।

ସୂଚନା ଅନୁସାରେ, ଗତ ୧୦ ତାରିଖରେ ଦିନ ପ୍ରାୟ ୧ଟା ୨୦ମିନିଟରେ ଭୁବନେଶ୍ବରରୁ ରାଉରକେଲା ଅଭିମୁଖେ ଉଡାଣ ଭରୁଥିବା ଇଣ୍ଡିଆ ୱାନ ଏୟାର ବିମାନ ବାଉଁଶଟୋଲାର ଏକ ଖୋଲା ପଡ଼ିଆରେ ଖସି ପଡ଼ିଥିଲା । ଯାନ୍ତ୍ରିଙ୍କ ତ୍ରୁଟି ଯୋଗୁଁ ବିମାନର ପାଇଲଟ ବିମାନଟିକୁ ଏହି ପଡ଼ିଆରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବାବେଳେ ପଡ଼ିଆରେ ଓହଳିଥିବା ଏକ ବିଦ୍ୟୁତ ତାରରେ ବିମାନର ପଛ ଅଂଶ ଛନ୍ଦି ହୋଇଯିବାରୁ ବିମାନଟି ଘୋଷାଡ଼ି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।