ପ୍ରୟାଗରାଜରେ ଶଙ୍କରାଚାର୍ଯ୍ୟଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ । ପ୍ରୟାଗରାଜ ମାଘ ମେଳା କର୍ତ୍ତୃପକ୍ଷ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଏକ ଆନୁଷ୍ଠାନିକ ନୋଟିସ ଜାରି କରି ଶଙ୍କରାଚାର୍ଯ୍ୟ ପଦବୀ ପାଇଁ ତାଙ୍କ ଦାବି ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି। ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବେ ସରକାର ଓ ପ୍ରଶାସନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ରାଷ୍ଟ୍ରପତି କିଏ ଶଙ୍କରାଚାର୍ଯ୍ୟ ହେବେ ତାହା ସ୍ଥିର କରିପାରିବେ ନାହିଁ। ପ୍ରଶାସନ କହିଛି ଯେ କୋର୍ଟ ଅକ୍ଟୋବର 2022 ରେ ଜ୍ୟୋତିର୍ପୀଠରେ ନୂତନ ଅଭିଷେକକୁ ନିଷେଧ କରିଥିଲେ। ସୁପ୍ରିମକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ କାହାକୁ ଶଙ୍କରାଚାର୍ଯ୍ୟ ନିଯୁକ୍ତ କରିବାକୁ ନିଷେଧ କରିଥିବା ବେଳେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କିପରି ତାଙ୍କ ଶିବିର ଏବଂ ବୋର୍ଡରେ ପଦବୀ ବ୍ୟବହାର କରୁଛନ୍ତି ବୋଲି ନୋଟିସରେ ପ୍ରଶ୍ନ କରାଯାଇଛି।

ପ୍ରଶାସନ ଏହାକୁ ଅଦାଲତ ଅବମାନନାର ଏକ ଲକ୍ଷଣ ବୋଲି ବିବେଚନା କରି ତାଙ୍କୁ 24 ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ଶଙ୍କରାଚାର୍ଯ୍ୟ ଭାବରେ ତାଙ୍କ ପଦବୀ ଉପରେ ପ୍ରଶ୍ନ ଉଠାଯାଇଛି।ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କହିଛନ୍ତି, ଶଙ୍କରାଚାର୍ଯ୍ୟ ହେଉଛନ୍ତି ଜଣେ ଯିଏ ଅନ୍ୟ ତିନୋଟି ପୀଠର ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଗ୍ରହଣୀୟ। ତିନୋଟି ପୀଠ ମଧ୍ୟରୁ ଦୁଇଟିର ଶଙ୍କରାଚାର୍ଯ୍ୟ ମୋତେ ଶଙ୍କରାଚାର୍ଯ୍ୟ ବୋଲି ମାନିଛନ୍ତି। ସେମାନେ ଗତ ମାଘ ମେଳାରେ ମୋ ସହିତ ସ୍ନାନ ମଧ୍ୟ କରିଥିଲେ। ଯେତେବେଳେ ଦ୍ୱାରକା ଓ ଶୃଙ୍ଗେରିର ଶଙ୍କରାଚାର୍ଯ୍ୟ କହିଥିଲେ, ତୁମେ ଶଙ୍କରାଚାର୍ଯ୍ୟ ଆଉ ଆମ ସହିତ ସ୍ନାନ କରୁଛ। ତେବେ ଏହାଠାରୁ ଆଉ କଣ ପ୍ରମାଣ ଆବଶ୍ୟକ ବୋଲି ଅଭିମୁକ୍ତେଶ୍ୱରାନନ୍ଦ ପ୍ରଶ୍ନ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ନିର୍ଣ୍ଣୟ ଶଙ୍କରାଚାର୍ଯ୍ୟ ଗ୍ରହଣ କରିଥାନ୍ତି। ପୁରୀର ଶଙ୍କରାଚାର୍ଯ୍ୟ ଏହା ଉପରେ କିଛି କହି ନାହାନ୍ତି।