ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କର ୨୭୪% ଅଧିକ ସମ୍ପତ୍ତି ଠାବ

କୋରାପୁଟ: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନପାଳ ନିରଞ୍ଜନ ଶତପଥୀଙ୍କ ବିରୋଧରେ ଭିଜିଲାନ୍ସ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଆଜି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।ଗତକାଲି ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫ଟି ଟିମ୍‌ ଏକାସାଥିରେ ଭୁବନେଶ୍ବର ଝାରପଡ଼ାସ୍ଥିତ ଆବାସିକ ଘର, କୋରାପୁଟରେ ସରକାରୀ କାର୍ଯ୍ୟାଳୟ ଏବଂ ଜଗତସିଂହପୁରରେ ଥିବା ପୈତୃକ ଘର ସହ ମୋଟ ୫ଟି ସ୍ଥାନରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ବନପାଳ ନିରଞ୍ଜନ ଶତପଥୀଙ୍କ ଝାରପଡ଼ାରେ ୨ଟି ତିନିମହଲା ବିଳାସପୂର୍ଣ୍ଣ କୋଠା ଠାବ ହୋଇଛି, ଯାହା ୮୧୦୦ ବର୍ଗଫୁଟ ଜମିରେ ନିର୍ମିତ ଓ ଏହାର ବଜାର ମୂଲ୍ୟ ୮ କୋଟି ଟଙ୍କାରୁ ଅଧିକ ବୋଲି ଆନୁମାନ କରାଯାଉଛି। ସେହିପରି କୋରାପୁଟରେ ୧୨୫୦ ବର୍ଗଫୁଟର ଏକ ଘରର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବା ସୂଚନା ମିଳିଛି।

ଭିଜିଲାନ୍ସ ତଥ୍ୟ ଅନୁସାରେ ରାଜଧାନୀରେ ୨ଟି, ଜଗତସିଂହପୁରରେ ୪ଟି ଏବଂ ସେମିଳିଗୁଡ଼ାରେ ୧ଟି ମିଶି ମୋଟ ୭ଟି ପ୍ଲଟ୍‌ ଠାବ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା। ଏହା ସହ ଘରୁ ୯.୨୮ ଲକ୍ଷ ଟଙ୍କା ନଗଦ, କେଜିଏ ସୁନା ଗହଣା, ୨୫୦ ଗ୍ରାମ ରୁପା ଗହଣା ଓ ୩୦.୭୫ ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଛି। ଆମେରିକୀୟ ଡଲାର ସହ ଇଣ୍ଡୋନେସିଆ, ମାକାଉ, ଥାଇଲାଣ୍ଡ, ହଂକଂ, ଭିଏତନାମ, ମାଲେସିଆ ଆଦି ଦେଶର ବିଦେଶୀ ମୁଦ୍ରା ମଧ୍ୟ ମିଳିଛି । ତେବେ ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀଙ୍କର ୨୭୪% ଅଧିକ ସମ୍ପତ୍ତି ଠାବ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଯାଞ୍ଚ ବେଳେ ଠାବ କରିଛି ଭିଜିଲାନ୍ସ ।ଗତକାଲି ବାବୁଙ୍କ ଘରୁ ପ୍ରାୟ ୧ କେଜିର ସୁନା ଅଳଙ୍କାର ମିଳିଥିଲା । ନଗଦ ୯.୨୮ ଲକ୍ଷ ଟଙ୍କା ଓ ୬୬.୪୨ ଲକ୍ଷର ଜମାରାଶି ଠାବ ହୋଇଥିଲା । ଭୁବନେଶ୍ବରରେ ୨ଟି ବହୁତଳ କୋଠା, ସମିଳିଗୁଡ଼ାରେ ମଧ୍ୟ ଗୋଟିଏ କୋଠା । ଭୁବନେଶ୍ବରରେ ୨ଟି ସହ ମୋଟ୍‌ ୭ ବହୁମୂଲ୍ୟ ପ୍ଲଟ୍ ଠାବ ହୋଇଥିଲା । ୨୮ ଲକ୍ଷର ମୋଟ୍‌ ଗୋଟିଏ ଚାରି ଚକିଆ, ୩ଟି ଦୁଇ ଚକିଆ ଗାଡ଼ି ଠାବ ହୋଇଛି । ୩୦.୭୫ ଲକ୍ଷ ଟଙ୍କା ମୂଲ୍ୟର ଘରକରଣା ସାମଗ୍ରୀ ମଧ୍ୟ ଠାବ ହୋଇଛି ।